ଦୁର୍ଘଟଣା ପରେ ବିଛଣାରେ ପଡିଛି ରୋଜଗାରିଆ ପୁଅ। ଚିକିତ୍ସା ପାଇଁ ଭତ୍ତା ଓ ରାସନ କାର୍ଡ ବନ୍ଧା ରଖିଲା ମାଆ ।

55

କନକ ବ୍ୟୁରୋ: ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଭତ୍ତା କାର୍ଡ ଓ ରାସନ କାର୍ଡ ବନ୍ଧକ ରଖିଲା ମାଆ । କିଛି ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଅଭିଯୋଗ ଅନୁଯାୟୀ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗାଦବାଗୁଡ଼ା ଗାଁର ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ସମ୍ବଳ ଅଭାବରୁ ରାସନ କାର୍ଡକୁ ୮ ହଜାର ଟଙ୍କାରେ ଓ ନିଜ ଭତ୍ତା କାର୍ଡକୁ ୬ ହଜାର ଟଙ୍କାରେ ବନ୍ଧକ ରଖିଛନ୍ତି ।

ଦୁର୍ଘଟଣା ପରେ ଶଯ୍ୟାଶାୟୀ ହୋଇଯାଇଛି ରୋଜଗାରିଆ ପୁଅ । ସୁଲୋଚନା ଖୁରାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ପୁଅର ସିଲେଇ କରି ଯାହା ରୋଜଗାର କରୁଥିଲେ ସେଥିରେ ମାଆ ପୁଅଙ୍କ ଜୀବନ ପେଟ ପୁରୁଥିଲା । ହେଲେ ତିନି ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ପୁଅ ନୟନ ଖୁରାର ଡାହାଣ ଗୋଡ ଭାଙ୍ଗିଯାଇଛି । ଚିକିତ୍ସା କରାଇବା ପରେ ମଧ୍ୟ ଗୋଡ ସମ୍ପୂର୍ଣ୍ଣ ରୂପେ ଭଲ ହୋଇନାହିଁ । ରୋଜଗାରିଆ ପୁଅ ବିଝଣାରେ ପଡିରହିଛି । ଫଳରେ, ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ପୁଅର ଚିକିତ୍ସା ପାଇଁ ମାଆ ରାସନ କାର୍ଡ ଓ ଭତ୍ତା କାର୍ଡକୁ ବନ୍ଧକ ରଖିଛନ୍ତି । ଏଭଳି ସ୍ଥିତିରେ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗାଁ ଲୋକମାନେ ଦାବି କରିଛନ୍ତି ।