ବଡମ୍ବା ଅଞ୍ଚଳରେ ଫୁଡ ପଏଜନ୍: ଖାଦ୍ୟ ପାଲଟିଲା ବିଷ, ଜୀବନ ହାରିଲେ ଦୁଇ ଶିଶୁ ।

122

କନକ ବ୍ୟୁରୋ:  ଜୀବ ଖାଦ୍ୟ ଖାଏ ଜୀବନ ଜିଇଁବା ପାଇଁ । ହେଲେ ସେହି ଖାଦ୍ୟ ଯେ ଜୀବନ ନେଇଯିବ ତାହା କେହି କେବେ କଳ୍ପନା କରିନଥାନ୍ତି । କୁନି କୁନି ପିଲା ଖାଇଥିବା ଖାଦ୍ୟ ବିଷ ପାଲଟିଯିବ, ଦୁଇ ଭାଇ-ଭଉଣୀଙ୍କୁ ଏହି ଦୁନିଆରୁ ନେଇଯିବ, ତାହା କେହି କେବେ ଚିନ୍ତା କରିନଥିଲେ ।

ଏଭଳି ଏକ ଅଘଟଣ ଘଟିଛି କଟକ ଜିଲ୍ଲା ବଡମ୍ବା ବିରବରପୁର ଗାଁରେ । ମାଆ ରୂପା ପାତ୍ର ତିଆରି କରିଥିବା ଚାଟ୍, ଘୁଘୁନି ଓ ଭାତ ଖାଇଥିଲେ ଭାଇ-ଭଉଣୀ । ଖାଇସାରି ଗାଁ ଦାଣ୍ଡରେ ଗଣେଶ ବିସର୍ଜନ ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ ସମସ୍ତେ  । ହେଲେ କିଛି ସମୟ ପରେ ୧୦ ବର୍ଷର ପୁଅ ରୁଦ୍ର ପାତ୍ର ଓ ୭ ବର୍ଷର ଝିଅ ରୁଚିକା ପାତ୍ରଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା । ପ୍ରଥମେ ସେମାନଙ୍କୁ ମାଣିଆବନ୍ଧ ଡାକ୍ତରଖାନାକୁ ନିଆଯାଇଥିଲା । ଏହାପରେ ବାପା ଗୋବିନ୍ଦ ପାତ୍ର ଓ ମାଆ ରୂପା ପାତ୍ର ମଧ୍ୟ ସମାନ ଢଙ୍ଗରେ ଅସୁସ୍ଥ ହୋଇପଡିଥିଲେ । ପୁଅ-ଝିଅ ଓ ବାପା-ମାଆ ସମସ୍ତଙ୍କୁ ମାଣିଆବନ୍ଧ ଡାକ୍ତରଖାନାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଦୁଇ ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଏବେ ବି ଗୁରୁତର ଅଛନ୍ତି ।