ତୁର୍କୀରେ ଭୂମିକମ୍ପ ଯନ୍ତ୍ରଣା: ଶିଶୁଙ୍କ ବିକଳ ଦେଖି ସାରା ବିଶ୍ୱ ସ୍ତବ୍ଧ

110

କନକ ବ୍ୟୁରୋ: ତୁର୍କୀ ଏବଂ ସିରିୟା ଭୂକମ୍ପରେ ଶିଶୁମାନେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି। କେଉଁଠି ଜନ୍ମରୁ ଶିଶୁ ଅନାଥ ହୋଇଯାଇଥିବା ବେଳେ ଅନ୍ୟ କେଉଁଠି ନିଜ ପିଲାଙ୍କୁ ହରାଇ ବାପା ମା’ ଭାଙ୍ଗି ପଡ଼ିଛନ୍ତି। କହରାମନମାରସ‌ରେ ଜଣେ ବାପା ନିଜ ୧୫ ବର୍ଷୀୟା ମୃତ ଝିଅର ହାତ ଧରିଥିବାର ଫଟୋ ଏବେ ଭାଇରାଲ୍‌ ହୋଇଛି। ଝିଅଟି ଉଦ୍ଧାର ପାଇଁ ଅପେକ୍ଷା କରି ଆଖି ବୁଜି ଦେଇଥିବା ବେଳେ ଅସହାୟ ପିତା ତା’ର ହାତ ଧରିଥିବା ଫଟୋ ବିଚଳିତ କରିଦେଉଛି। ବୁଧବାର ତୁର୍କୀର ସାନଲିଉର୍ଫାରେ ଜଣେ ବର୍ଷକର ଶିଶୁକୁ ୫୩ ଘଣ୍ଟା ପରେ ଜୀବିତ ଉଦ୍ଧାର କରାଯାଇଛି। ଇସ୍କେନ‌ଡେରୁନରେ ଜଣେ ମା’ ଏବଂ ତାଙ୍କ ୨ ବର୍ଷର ଝିଅକୁ ପ୍ରାୟ ୪୪ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ହତୟରେ ଜଣେ ୮ ବର୍ଷର ଶିଶୁକୁ ୫୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ୫୨ ଘଣ୍ଟା ପରେ ନିଜ ମା’କୁ ପାଖରେ ପାଇବାପରେ ଶିଶୁଟି ମା’ କୁ ଆଲିଙ୍ଗନ କରି କାନ୍ଦି ପକାଇଥିଲା।

ଧ୍ବଂସସ୍ତୂପ ତଳୁ ଗୋଟିଏ ପରେ ଗୋଟିଏ ଶିଶୁର ମୃତ ଦେହ ଉଦ୍ଧାର ହେବା ହୃଦୟବିଦାରକ ସ୍ଥିତି ସୃଷ୍ଟି କରିଛି। ଉତ୍ତରପଶ୍ଚିମ ସିରିୟାର ଜିଣ୍ଡରିସରେ ଉଦ୍ଧାରକାରୀ ଦଳ ଏକ ନବଜାତ ଶିଶୁକୁ ଉଦ୍ଧାର କରିଛନ୍ତି। ଶିଶୁଟିର ନାଭି ମା’ ସହ ଯୋଡ଼ି ହୋଇଥିବାରୁ ଶିଶୁଟିକୁ ଜନ୍ମ ଦେବାପରେ ମା’ର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ଉକ୍ତ କନ୍ୟା ଶିଶୁକୁ ଆଫ୍ରିନର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଶିଶୁମାନଙ୍କ ପାଇଁ ଯୁଦ୍ଧସ୍ତରରେ ସହାୟତା ଯୋଗାଣ ଜାରି ରହିଥିଲେ ମଧ୍ୟ ବିପର୍ୟ୍ୟୟର ବ୍ୟାପକତା ଆମକୁ ଅସହାୟ କରିଦେଉଛି ବୋଲି ୟୁନିସେଫର ଜଣେ ପ୍ରବକ୍ତା କହିଛନ୍ତି। ଭୂକମ୍ପ ଭୋର ସମୟ‌ରେ ହୋଇଥିବାରୁ ଶିଶୁମାନେ ଶୋଇ ରହିଥିଲେ। ଏଥିପାଇଁ ଅଧିକାଂଶ ଶିଶୁ ଭଗ୍ନାବଶେଷ ତଳେ ଫସି ଯାଇଛନ୍ତି।