ପେଟର ଭୋକ ଆଗରେ ଫିକା ପଡୁଛି ହାଡଭଙ୍ଗା ଶୀତ । ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଯାତ୍ରୀଙ୍କୁ ଅପେକ୍ଷା କରି ରହିଛନ୍ତି ରିକ୍ସାବାଲା ପଞ୍ଚୁ ।

127

କନକ ବ୍ୟୁରୋ: ନିଛାଟିଆ ରାତି, ହାଡ଼ ଭଙ୍ଗା ଶୀତ । ନିରୋଳା ରାସ୍ତାରେ ଏକୁଟିଆ ମଣିଷ । ରିକ୍ସାଟିଏ ଧରି ବାଟୋଇ ଅନ୍ୱେଷଣରେ ଘୁରି ବୁଲୁଥିବା ଏହି ମଣିଷର ନାଁ ପଞ୍ଚୁ । ଶୀତୁଆ ରାତିରେ ବ୍ରହ୍ମପୁର ଷ୍ଟେସନ୍ ଆଗରେ ଯାତ୍ରୀଙ୍କୁ ଚାହିଁ ବସୁଥିବା ଜଣେ ରିକ୍ସା ଚାଳକ । ଶୀତ ସିନା ହାଡ଼କୁ ଭାଙ୍ଗି ଦେବାର ସାମର୍ଥ୍ୟ ରଖୁଛି, କିନ୍ତୁ ପେଟର ଭୋକ ଆଗରେ କି ଶୀତ, କି କାକର । ମୁଣ୍ଡ ଉପରେ ପରିବାର ଦାୟତ୍ୱ, ତୁଳାଇବାକୁ ହିଁ ହେବ । ବାସ୍, ଦୀର୍ଘ ୧୭ ବର୍ଷ ହେଲା ସବୁ ଝଡ଼ଝଞ୍ଜାକୁ ଅତିକ୍ରମ ଜୀବନର ରିକ୍ସାକୁ ଟାଣି ଚାଲିଛନ୍ତି ପଞ୍ଚୁ ।

ରାତିର ଅନ୍ଧାରରେ ସହରର ରାସ୍ତା ଉପରେ ଆଉ ଜଣେ ରିକ୍ସା ଚାଳକ ନଜର ଆସିଥିଲେ । ନାଁ ଦୟା ଦାସ । ବର୍ଷ ୬୦ ଟପି ଗଲାଣି । ସାହାରା କହିଲେ କେବଳ ପତ୍ନୀ । ପୁଅ ନାହିଁ, ୨ଟି ଝିଅ ବାହା ହୋଇ ଶାଶୂଘରକୁ ଚାଲି ଗଲେଣି । ଏଭଳି ସ୍ଥିତିରେ ନିଜର ଏବଂ ନିଜ ଜୀବନ ସାଥୀଙ୍କ ପାଇଁ ରାତି ଅଧରେ ରିକ୍ସା ଟାଣୁଛନ୍ତି ଦୟା ମଉସା ।

ଜୀବନ ଯଦି ରିକ୍ସା ହୁଏ, ଟାଣିବାକୁ ହେବ । ଆଉ ସଂଘର୍ଷ ଯଦି କପାଳରେ ଲେଖା, ସଂଗ୍ରାମ କରିବାକୁ ହେବ । ବାସ୍, ଏଭଳି କିଛି ଧରି ନେଇ କର୍ମ କରି ଚାଲିଛନ୍ତି ବ୍ରହ୍ମପୁରର ପଞ୍ଚୁ ଏବଂ ଦୟା ।