ଅସୁସ୍ଥ ମାଆକୁ ଦେଖିପାରିଲାନି ପୁଅ । ଅନ୍ୟ ଜାତିରେ ବାହା ହୋଇଥିବାରୁ ଗାଁରୁ ହୋଇଥିଲେ ବାସନ୍ଦ

544

କନକ ବ୍ୟୁରୋ : ଅନ୍ୟ ଜାତିରେ ବିବାହ କରିବାରୁ ଗାଁରୁ ହେଲେ ନିଆଁପାଣି ବାସନ୍ଦ । ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବକ୍ଲର ନିମଖଣ୍ଡି ଥାନା ଅଧୀନ ବୋରୀ ଗାଁରୁ । ଗାଁର ନିବାସୀ ଉମାଶଙ୍କର ସାହୁ ୧୬ ବର୍ଷ ତଳେ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲେ । ଏହା ପରେ ସେ ଗାଁକୁ ଯାଉ ନଥିଲେ ।

ତେବେ ନିକଟରେ ମାଆଙ୍କ ଶରୀର ଅସୁସ୍ଥ ହେବାରୁ ଉମାଶଙ୍କର ତାକୁ ଦେଖିବାକୁ ନିଜ ଗାଁକୁ ଆସିଥିଲେ । କିନ୍ତୁ ଏହାକୁ ବିରୋଧ କରିଥିଲା ବୋରୀ ଗାଁର ହରିଦ୍ରା ତୈଲିକ ବୈଶ୍ୟ ସମାଜ । ଆଉ ସଂଗଠନ ଉମାଶଙ୍କର ଓ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଗାଁରେ କୌଣସି ଲୋକ ତାଙ୍କ ପରିବାର ସହ କଥା ହେଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଭୟରେ ବୋରୀ ଗାଁର କେହି କଥା ହେଉ ନାହାଁନ୍ତି । ତାଙ୍କର କୌଣସି କାର୍ଯ୍ୟକ୍ରମରେ ଗାଁର କେହି ଯୋଗ ଦେଉ ନାହାନ୍ତି । ଏପରିକି ଉମାଶଙ୍କରଙ୍କ ଭାଇ ଶଙ୍କର୍ଷଣ ସାହୁଙ୍କ ରାସନ୍ ଦୋକାନକୁ ବି ସାମଗ୍ରୀ କିଣିବାକୁ ଯାଉ ନାହାଁନ୍ତି । ତେଣୁ ଗାଁରେ ତାଲିବାନୀ ଶାସନ ଚାଲୁଥିବା ଅଭିଯୋଗ କରି ନିମଖଣ୍ଡି ଥାନା, ବ୍ରହ୍ମପୁର ଏସପି ଓ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ସେଠାରୁ ନ୍ୟାୟ ନମିଳିବାରୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉମାଶଙ୍କର ଓ ତାଙ୍କ ଭାଇ ।