ଆଜି ସରୁଛି ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କ ରିମାଣ୍ଡ । ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମ ବ୍ରାଞ୍ଚ

68

କନକ ବ୍ୟୁରୋ : ଆଜି ସରୁଛି କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ । ୫ ଦିନର ମାରାଥନ ଜେରା ପରେ ଅଭିଯୁକ୍ତମାନେ ସତ ସ୍ୱୀକାର କରିଛନ୍ତିି । ପଚରାଉଚରାରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ସହଯୋଗୀମାନେ ମାନସଙ୍କୁ ହତ୍ୟା କରିବାର ୩୬ ଘଂଟାର ଲୋମଟାଙ୍କୁରା ଘଟଣାର ଖୁଲାସା କରିଛନ୍ତି । ୩୬ ଘଂଟାରେ ପାଖାପାଖି ୬ ଶହ ୧୦ କିମି ଅଭିଯୁକ୍ତମାନେ ବୁଲିଥିବା ପୋଲିସ ଆଗରେ ମାନିଛନ୍ତି ଶର୍ମିଷ୍ଠା ରାଉତ । ଫେବୃଆରୀ ଅଭିଯୁକ୍ତମାନେ ୭ତାରିଖ ସକାଳେ ମାନସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ନିକଟରୁ ଅପହରଣ କରିଥିଲେ । ମାନସଙ୍କୁ ଅପହରଣ କରିବା ପାଇଁ ସେମାନେ ଫେବୃଆରୀ ୬ତାରିଖ ରାତିରୁ ସେହି ସ୍ଥାନରେ ଅପେକ୍ଷା କରିଥିଲେ । ଶର୍ମିଷ୍ଠାଙ୍କୁ ଏହି ଅପହରଣରେ ରଂଜନ ନାୟକ, ଝୁନା ଭୋଇ, ଭାଗ୍ୟଧର ନାୟକ, ବିବେକ ସହଯୋଗ କରିଥିଲେ । ଅପହରଣ କରିବା ପରେ ମାନସଙ୍କୁ ଆଣି ସେହିଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ମରଣାନ୍ତକ ଅତ୍ୟାଚାର କରିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ । ଯେଉଁଥିରେ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା ।
ଫେବୃଆରୀ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠା ତାଙ୍କ କାରରେ ମୃତ ଶରୀରକୁ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନରେ ଥିବା ଏକ ସ୍ଥାନରେ ପୋତି ଦେଇଥିଲେ । ମାନସଙ୍କ ମୃତ୍ୟୁ ପରେ ଶର୍ମିଷ୍ଠା ଏବଂ ସହଯୋଗୀ ଝୁନା ଭୁବନେଶ୍ୱର ଏକ ନମ୍ବର ମାର୍କେଟରୁ ଅଖା ବସ୍ତା, ଗ୍ଲୋଭସ୍ ଓ ସୁ୍ତୁଲି ପ୍ରଭୃତି କିଣିଥିଲେ । ମୃତ ଶରୀରକୁ ରଣପୁର ନେବା ବାଟରେ ରାଜସୁନଖଳା ଠାରୁ ୧୦ କେଜି ଲୁଣ ମଧ୍ୟ କିଣିଥିଲେ ଝୁନା ଓ ଶର୍ମିଷ୍ଠା । ଭାଗ୍ୟଧର ଏବଂ ରଂଜନ ସେହି ରାଜସୁନାଖଳାରୁ ଫାଉଡ଼ା ଓ ଗଇନ୍ତି କିଣିଥିଲେ । ଭାଗ୍ୟଧରଙ୍କ ଘର ରଣପୁର ଥାନା ବଧିପାଟଣା ହୋଇଥିବାରୁ ସେଠାରୁ ଦୁଇ କିଲୋମିଟର ଦୂର ନୂଆ କାଟେଣୀରେ ମୃତଦେହକୁ ପୋତିବା ପାଇଁ ସ୍ଥିର କରିଥିଲେ । ମୃତ ଶରୀରକୁ ପୋତି ସାରିବା ପରେ ଦୈତାରୀ-ପାରାଦ୍ୱୀପ ଏକ୍ସପ୍ରେସ୍ ହାଇୱେର ଚଣ୍ଡିଖୋଲ ଠାରେ ମଧ୍ୟରାତ୍ରିରେ ପହଂଚିଥିଲେ ସମସ୍ତ ଅଭିଯୁକ୍ତ ଏବଂ ସେହିଠାରେ ହତ୍ୟାକାଣ୍ଡ ଓ ମୃତଦେହକୁ ସ୍ଥାନାନ୍ତର କରିବାରେ ବ୍ୟବହାର କରାଯାଇଥିବା ମାରଣାସ୍ତ୍ର ଅଖା ବସ୍ତା ଓ ଶାଢ଼ୀକୁ ନଷ୍ଟ କରିଥିଲେ । ଶର୍ମିଷ୍ଠା ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିବା ପରେ ଏ ବିଷୟରେ ଅଧିକ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ ।