ଆଜି ଶପଥ ନେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ । ସାମିଲ ହେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ

133

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ । ପ୍ରାୟ ୨୪ ଘଂଟା ଧରି ହିମାଚଳପ୍ରଦେଶ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଯେଉଁ ସସପେନ୍ସ ଚାଲିଥିଲା ତାହା ଶେଷ ହୋଇଛି । ରାଜ୍ୟର ଶୁକ୍ରବାର ବିଧାୟକ ଦଳ ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ତେଣୁ ଶେଷରେ ଦଳର ହାଇକମାଣ୍ଡ ନିଜ ହାତକୁ ଦାୟିତ୍ୱ ନେଇଥିଲେ । ଏହାପରେ ଗତକାଲି ବିଧାୟକ ଦଳ ବୈଠକ ହେବା ପରେ ସୁଖବିନ୍ଦରଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଆଜି ଅପରାହ୍ଣ ଗୋଟାଏ ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ । ମୁଖ୍ୟମନ୍ତ୍ରୀ ରେସରେ ଥିବା ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବ । >

ସେପଟେ ସୁଖବିନ୍ଦରଙ୍କ ପାଖରେ ସବୁଠୁ ଅଧିକ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ବର୍ତମାନ ହିମାଚଳର ପ୍ରଦେଶ କଂଗ୍ରେସର କ୍ୟାଂପେନିଂ କମିଟି ମୁଖ୍ୟ ଅଛନ୍ତି ସୁଖବିନ୍ଦର । ହାମିରପୁର ଜିଲ୍ଲାର ନାଦୋନରୁ ତୃତୀୟ ଥର ପାଇଁ ବିଧାୟକ ଅଛନ୍ତି ସୁଖବିନ୍ଦର । କଂଗ୍ରେସର ଷ୍ଟୁଡେଂଟ ୟୁନିଅନ ଅଫ ଇଣ୍ଡିଆର ଜଣେ ଆଗ ଧାଡିରେ ସଦସ୍ୟ ମଧ୍ୟ ଥିଲେ । ନିର୍ବାଚନ ଫଳାଫଳ ବାହାରିବା ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା କୁହାଯାଉଥିଲା । ଏପରିକି ତାଙ୍କ ସମର୍ଥକଭାବେ ହାଇକମାଣ୍ଡଙ୍କ ନିକଟରେ ନିଜ ଦାବି ଜଣାଇ ପ୍ରତିଭା ସିଂଙ୍କ ନାଁରେ ମୋହର ମାରିବାକୁ କହିଥିଲେ । ତେବେ ହଠାତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ମଉଳିବା ପରେ ରେସରୁ ଓହରିଥିଲେ ପ୍ରତିଭା ସିଂ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ହାଇକମାଣ୍ଡଙ୍କ ନିଷ୍ପତିକୁ ସର୍ବୋପରି ବୋଲି କହିଛନ୍ତି ପ୍ରତିଭା ସିଂ ।