ଦୁର୍ଘଟଣା ପରେ ଜଣାପଡିଲା ମହିଳା ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମ କାହାଣୀ । ପରକୀୟା ପ୍ରୀତିକୁ ନେଇ ସ୍ନିଗ୍ଧାରାଣୀଙ୍କ ସ୍ୱାମୀ ମେ’ ମାସରୁ ଦେଇଥିଲେ ଏତଲା ।

658

କନକ ବ୍ୟୁରୋ: ଚର୍ଚ୍ଚାରେ ସୁନ୍ଦରଗଡ଼ର ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓରଫ୍ ସୁନା ମ୍ୟାଡାମ୍ । ମ୍ୟାଡାମ୍ଙ୍କ ଗାଡି ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିବା ବେଳେ ଏବେ ତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ପରେ ଗିରଫ ହୋଇଥିବା ଗାଡି ଚାଳକ ଅଜୟ କୁମାର ଜେଠୀଙ୍କ ସହ ଇନ୍ସପେକ୍ଟର ସୁନା ମ୍ୟାଡାମ୍ଙ୍କ ସଂପର୍କକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ସୁନ୍ଦରଗଡରେ ଅଧ୍ୟାପକ ଥିବା ସୁରେଶ କୁମାର ବାଗ୍ ସୁନ୍ଦରଗଡ ଟାଉନ ଥାନାରେ ମେ ୨ ତାରିଖରେ ଏକ ଦାୟର କରିଥିଲେ । ଯେଉଁଥିରେ ସେ ନିଜ ପତ୍ନୀ ସ୍ନିଗ୍ଧାରାଣୀ ସୁନା ଓ ଅନ୍ୟ ଜଣେ ବ୍ୟକ୍ତି ଅଜୟ ଜେଠୀଙ୍କ ନାମରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । ତାଙ୍କ ଅଭିଯୋଗ ଅନୁସାରେ ସେ ସୁନ୍ଦରଗଡ଼ରେ ତାଙ୍କ ପତ୍ନୀଙ୍କ କ୍ୱାର୍ଟର୍ସକୁ ଯାଇଥିଲେ । ସେଠାରେ ସେ ଅଜୟ ଜେଠୀଙ୍କୁ ଦେଖିଥିଲେ । ଅଜୟ କିଏ ବୋଲି ପଚାରିବାରୁ ସେ ତାଙ୍କୁ ବିବାହ କରିଥିବା କହିଥିଲେ । ଅଜୟ ମଧ୍ୟ ତାଙ୍କୁ ଗାଳିଗୁଲଜ କରିବ ସହ ଧମକଚମକ ଦେଇଥଲେ ବୋଲି ଏଫଆଇଆରରେ ଉଲ୍ଲେଖ ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ହେଉଛନ୍ତି ସେହି ମହିଳା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଅଜୟ ଜେଠୀ, ଯାହାଙ୍କ ବେପରୁଆ ଗାଡି ଚାଳନାରୁ ସୋନପୁର- ବଲାଙ୍ଗୀର ରାସ୍ତାରେ ଚାଳିଗଲା ୩ ଜୀବନ । ଆଉ ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲେ ଏହି ଦୁଇଜଣ ।

ଦୁର୍ଘଟଣାଗ୍ରସ୍ତ ଗାଡି ଓ ସେଥିରେ ଥିବା ତାଙ୍କ ପୋଲିସ ପୋଷାକରୁ ସ୍ନିଗ୍ଧାରାଣୀଙ୍କ ପାଖରେ ପହଞ୍ଚିଥିଲା ପୋଲିସ । ଗାଡି ଚଳାଉଥିବା ଅଜୟ କୁମାର ଜେଠୀଙ୍କୁ ଗିରଫ କରିବା ସହ ମହିଳା ଇନ୍ସପେକ୍ଟରଙ୍କୁ ପଚରାଉଚରା କରି ଛାଡିଦେଇଥିଲା ପୋଲିସ । ତେବେ ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବା ତଦନ୍ତରୁ ଜଣାପଡ଼ିଛି । ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଇବା ପାଇଁ ଅନୁମତି ଦେଇଥିବାରୁ ସୁନା ମ୍ୟାଡାମଙ୍କ ନାଁରେ ମାମଲା ରୁଜୁ ହୋଇଛି ।