ଡଲାର ତୁଳନାରେ କମି ଚାଲିଛି ଟଙ୍କାର ମୂଲ୍ୟ । ୧ ଡଲାର ମୂଲ୍ୟ ପାଖାପାଖି ୮୦ ଟଙ୍କା  ।

162

କନକ ବ୍ୟୁରୋ: ଡଲାର ତୁଳନାରେ ହ୍ରାସ ପାଉଛି ଟଙ୍କାର ମୂଲ୍ୟ । ଗୋଟିଏ ଡଲାରର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇ ପାଖାପାଖି ୮୦ ଟଙ୍କାରେ ପହଁଚିଛି । ଯାହା ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇଛି । କାରଣ ରପ୍ତାନୀ ତୁଳନାରେ ଭାରତ ଅଧିକ ଆମଦାନୀ କରିଥାଏ । ତେଣୁ ଏହାର ପ୍ରଭାବ ଭାରତର ପୁଞ୍ଜି ଭଣ୍ଡାର ଉପରେ ପଡିବା ସହ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ବଢି ବଢି ଚାଲିଛି ।

  • ଡଲାର ତୁଳନାରେ କମି ଚାଲିଛି ଟଙ୍କାର ମୂଲ୍ୟ
  • ୧ ଡଲାର ମୂଲ୍ୟ ପାଖାପାଖି ୮୦ ଟଙ୍କା

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଗୁରୁବାର ଦିନ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇଛି । ଟଙ୍କା ଦୁର୍ବଳ ହୋଇ ଗୋଟିଏ ଡଲାରକୁ ୭୯ ଟଙ୍କା ୯୯ ପଇସାରେ ପହଁଚିଛି ।

କାହିଁକି ଦୁର୍ବଳ ହେଉଛି ଟଙ୍କା?

  • ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି  ଫଳରେ ଟଙ୍କା ଉପରେ ଚାପ ପଡୁଛି
  • ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ହେଉଥିବାରୁ ଡଲାରର ଚାହିଦା ବଢୁଛି
  • ଭାରତ ହେଉଛି ଦ୍ୱିତୀୟ ସର୍ବାଧିକ କ୍ରୁଡ୍ ଅଏଲ୍ ଆମଦାନୀ କରୁଥିବା ଦେଶ
  • ଅଧିକାଂଶ କାରବାର ଆମେରିକୀୟ ଡଲାର ଜରିଆରେ ହେଉଥିବାରୁ ଡଲାରର ଗୁରୁତ୍ୱ ବଢ଼ି ବଢ଼ି ଚାଲିଛି
  • ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ବଜାରରେ ହଲଚଲ ହୋଇଥିଲା
  • ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ୨୭ ଥର ହ୍ରାସ ପାଇଛି ଭାରତୀୟ ମୁଦ୍ରାର ମୂଲ୍ୟ

ଟଙ୍କାର ମୂଲ୍ୟ କମି ଚାଲିଥିବାରୁ ଭାରତୀୟ ଅର୍ଥନୀତି ବଡ଼ ଧରଣର ସମସ୍ୟା ଆଡକୁ ଗତି କରୁଛି । ବ୍ୟାଙ୍କ କାରବାର, ଆମଦାନୀ ଏବଂ ଭାରତର ଥିବା ବିଦେଶୀ ପୁଞ୍ଜି ଭଣ୍ଡାର ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଏବେ ବିଦେଶରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଅଧିକ ଟଙ୍କା ଗଣିବେ ଏବଂ ଯେଉଁ ସାମଗ୍ରୀ ବିଦେଶରୁ ଆମଦାନୀ ହୋଇ ଆସୁଛି, ତାହା ମଧ୍ୟ ମହଙ୍ଗା ହୋଇ ଚାଲିଛି ।

ନଜର ପକାନ୍ତୁ ସ୍ୱାଧୀନତା ପରେ ଡଲାର ତୁଳନାରେ କିପରି ହ୍ରାସ ପାଇଛି ଟଙ୍କାର ମୂଲ୍ୟ

            ମସିହା   ଡଲାର ତୁଳନାରେ ଟଙ୍କାର ମୂଲ୍ୟ 

  • ୧୯୪୭ ୪ ଟଙ୍କା ୭୬ ପଇସା
  • ୧୯୭୩ ୮ ଟଙ୍କା ୧୦ ପଇସା
  • ୧୯୯୦ ୧୭ ଟଙ୍କା ୫୦ ପଇସା
  • ୨୦୦୪ ୪୫ ଟଙ୍କା ୩୨ ପଇସା
  • ୨୦୧୪ ୫୮ ଟଙ୍କା ୩୯ ପଇସା
  • ୨୦୨୧ ୭୪ ଟଙ୍କା ୫୭ ପଇସା
  • ୨୦୨୨ ୭୯ ଟଙ୍କା ୯୦ ପଇସା

୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ବେଳେ ଗୋଟିଏ ଡଲାରର ମୂଲ୍ୟ ଥିଲା ମାତ୍ର ୪ ଟଙ୍କା ୭୬ ପଇସା । ୨୬ ବର୍ଷ ପରେ ଅର୍ଥାତ୍ ୧୯୭୩ ମସିହାରେ ଏହା ଦୁଇ ଗୁଣ ହୋଇ ୮ ଟଙ୍କା ୧୦ ପଇସା ହୋଇଥିଲା । ଏହାର ୧୭ ବର୍ଷ ପରେ ୧୯୯୦ ମସିହାରେ ଡଲାର ତୁଳନାରେ ଟଙ୍କା ୨୫ ଟଙ୍କା ୯୨ ପଇସା ହୋଇ ଯାଇଥିଲା । ୨୦୦୪ରେ ଗୋଟିଏ ଡଲାରକୁ ୪୫ ଟଙ୍କା ୩୨ ପଇସା, ୨୦୧୪ରେ ୫୮ ଟଙ୍କା ୩୯ ପଇସାରେ ପହଁଚିଥିଲା । ୨୦୨୧ରେ ଡଲାର ୭୪ ଟଙ୍କା ଟପିଥିବା ବେଳେ ୨୦୨୨ରେ ଏହା ସର୍ବକାଳୀନ ହ୍ରାସ ପାଇ ୭୯ ଟଙ୍କା ୯୦ ପଇସା ହୋଇଯାଇଛି ।