ରାଜଧାନୀରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି ।

771

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଦମ୍ପତି ସଞ୍ଜୟ ଓ ସଞ୍ଜନା ପେରିୱାଲ ନିଜ ବାସଭବନରେ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ତେବେ ଏଥିରେ ପତ୍ନୀ ସଞ୍ଜନାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ସଞ୍ଜୟ ପେରିୱାଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

  • ଆତ୍ମହତ୍ୟା ପୂର୍ବରୁ ସ୍ୱାମୀଙ୍କୁ ଆସିଥିଲା ଫୋନ୍ କଲ
  • ସ୍ତ୍ରୀ କହିଥିଲେ ମୁଁ କରୁଛି ଆତ୍ମହତ୍ୟା

ବ୍ୟବସାୟୀ ସଞ୍ଜୟ ପେରିୱାଲ ଓ ସଞ୍ଜନା ପେରିୱାଲ । ପୁଅ ଓ ଝିଅଙ୍କୁ ନେଇ ହସଖୁସିର ପରିବାର ଭୁବନେଶ୍ୱରରେ ରୁହନ୍ତି । ହଠାତ୍ ସ୍ତ୍ରୀ ସଞ୍ଜନା ସ୍ୱାମୀ ସଞ୍ଜୟଙ୍କୁ ଫୋନ୍ କରି କହିଥିଲେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ଏହି ଖବର ପାଇବା ପରେ ଘଟଣାର ସତ ଜାଣିବା ପାଇଁ ନିଜ ପୁତୁରାଙ୍କୁ ଆପାର୍ଟମେଣ୍ଟକୁ ପଠାଇଥିଲେ ସଞ୍ଜୟ ।

ସିଦ୍ଧି ବିନାୟକ ଏନକ୍ଲେଭ ଆପାର୍ଟମେଣ୍ଟର ରୁମ୍ ନମ୍ବର ୪୦୫ରୁ ଶୁଭିଲା ଆର୍ତ୍ତ ଚିତ୍କାର । କେହି କିଛି ବୁଝିବା ଆଗରୁ ଡାଇନିଂ ହଲରେ ଫ୍ୟାନରେ ଓଢ଼ଣୀ ଲଗାଇ ଝୁଲିପଡ଼ିଥିଲେ ବ୍ୟବସାୟୀ ସଞ୍ଜୟ ପେରିୱାଲଙ୍କ ପତ୍ନୀ ସଞ୍ଜନା ପେରିୱାଲ । ସଞ୍ଜୟଙ୍କ ପୁତୁରା ଘଟଣାସ୍ଥଳରେ ପହଞ୍ଚ ସଞ୍ଜୟଙ୍କୁ ଏନେଇ ଖବର ଦେଇଥିଲେ । ସଞ୍ଜନାଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ସ୍ତ୍ରୀଙ୍କ ମୃତ୍ୟୁ ଖବର ପାଇ ସ୍ୱାମୀ ସଞ୍ଜୟ ବାଥରୁମ କ୍ଲିନର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟବଶତଃ ସଞ୍ଜୟ ଏଥିରୁ ବର୍ତ୍ତିଯାଇଥିଲେ, ହେଲେ ଗୁରୁତର ଅବସ୍ଥାରେ ଏବେବି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଅଛନ୍ତି ।

କାହିଁକି ଆତ୍ମହତ୍ୟା କଲେ ସଞ୍ଜନା? ହସଖୁସିର ପରିବାରରେ ଏମିତି କ’ଣ ହେଲା, ଯେଉଁଥିପାଇଁ ଏମାନେ ନେଇଥିଲେ ଏମିତି ଚରମ ନିଷ୍ପତି? ଆତ୍ମହତ୍ୟା ପଛରେ ପାରିବାରିକ କଳହ ନା ଆଉ କ’ଣ? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ।