ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଦିନରେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ସତ୍ତ୍ୱେ କମୁନି ଗରମ

223

କନକ ବ୍ୟୁରୋ: ସକାଳୁ ମଧ୍ୟାହ୍ନ ଯାଏଁ ପ୍ରବଳ ତାତି ଆଉ ଅପରାହ୍ନରେ କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ହେଲେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିନାହିଁ । ୧୧ ଦିନ ହେଲା ଲଗାତାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆଜିଠୁ ପୁଣି ଗ୍ରୀଷ୍ମ ପ୍ରବାହର ପ୍ରକୋପ ବଢିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୨୬ ତାରିଖ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । କିନ୍ତୁ ୨୭ ଓ ୨୮ ତାରିଖରେ କୋରାପୁଟକୁ ଛାଡିଦେଲେ ବାକି ୨୯ ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ୧୦ଟି ଜିଲ୍ଲାର ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ରୁ ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସହର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟର କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।