ମାହାଙ୍ଗାରେ ବୈଜୟନ୍ତ ପଣ୍ଡା ଓ ସୁମନ୍ତ ଘଡାଇ ପ୍ରଚାର ବେଳେ ଉତ୍ତେଜନା । ବିଜେପି ରାଲି ଉପରେ ଢେଲା ମାଡ, କାର ଭଙ୍ଗାରୁଜା

402

କନକ ବ୍ୟୁରୋ: ମାହାଙ୍ଗାରେ ବିଜେପିର ରାଲି ଉପରକୁ ଢେଲା ପଥର ମାଡ । ଢେଲା ମାଡ କରିବା ସହ କାର ଭଙ୍ଗାରୁଜା ଓ ବିଜେପି କର୍ମୀଙ୍କୁ ଆକ୍ରମଣ । ଆକ୍ରମଣରେ କିଛି ବିଜେପି କର୍ମୀ ଆହତ ହୋଇଛନ୍ତି । ବିଜେପି ରାଲି ଉପରେ ଢେଲା ମାଡ କରିଥିବା ବ୍ୟକ୍ତିମାନେ ବିଜେଡି ଦଳର ବୋଲି ଅଭିଯୋଗ ହୋଇଛି । ସୂଚନା ମୁତାବକ ବୁଧବାର ଅପରାହ୍ଣରେ ମାହାଙ୍ଗା ବିଜେପି ପକ୍ଷରୁ ଏକ ବାଇକ ରାଲି କରାଯାଇଥିଲା । ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡାଇ ଓ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏକ ବିଶାଳ ବାଇକ ରାଲି କରିଥିଲେ । ଭଦ୍ରକ ଥାନା ଅନ୍ତର୍ଗତ କୁରୁଜଙ୍ଗା ବଜାର ଠାରୁ ଏରକଣା ବଜାର ପର୍ଯ୍ୟନ୍ତ ରାଲି କରିବା ପରେ ପୋଡାମାରାଇ ବାସନ୍ତୀ ଦୁର୍ଗା ପଡିଆ ନିକଟରେ ଗାଡି ରଖିଥିବା ସମୟରେ କିଛି ବ୍ୟକ୍ତି ବିଜେପି କର୍ମୀଙ୍କ ଗାଡି ଉପରକୁ ଢେଲା ମାଡ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଠେଲାପେଲା ହୋଇଥିଲା । ଫଳରେ ଉଭୟ ପକ୍ଷର ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ବିଜେପି ପକ୍ଷରୁ ଭଦ୍ରେଶ୍ୱର ଥାନାର ବିଜେଡି ସମର୍ଥକଙ୍କ ବିରୋଧରେ ଏତଲା ଦିଆଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଭାଙ୍ଗିଥିବା ଏକ କାରକୁ ଜବତ କରିଛି ।