ବାବୁସାନ ଏବଂ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ଆପୋଷ ସମାଧାନ ନେଇ ଆରମ୍ଭ ହେଲା ଉଦ୍ୟମ । ତୃପ୍ତିଙ୍କୁ ବୁଝାଇବା ପାଇଁ ପହଁଚିଲେ ଅଭିନେତା ରବି ମିଶ୍ର ।

244

କନକ ବ୍ୟୁରୋ: ବାବୁସାନ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ସେହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଅଭିନେତା ରବି ମିଶ୍ର । ଆଉ ଉଭୟ ବାବୁସାନ ଓ ତୃପ୍ତିଙ୍କ ପରିବାର ମଝିରେ ମଧ୍ୟସ୍ଥତାର କାମ କରି ଆପୋଷ ବୁଝାମଣା ପାଇଁ ଉଦ୍ୟମ ଚଳାଇଛନ୍ତି । ଆଉ ଆଜି ବାବୁସାନଙ୍କ ଘରୁ ବାହାରି ତୃପ୍ତିଙ୍କ ଘରେ ପହଁଚି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ରବି ମିଶ୍ର ।

  • ମିଶିଯିବେ କି ବାବୁସାନ ଓ ତୃପ୍ତି?
  • ଆପୋଷ ସମାଧାନ ପାଇଁ ଉଦ୍ୟମ

ବାବୁସାନଙ୍କ ପରିବାରର ବେଶ ନିକଟତର ହେଉଛନ୍ତି ଅଭିନେତା ରବି ମିଶ୍ର । ନିଜକୁ ଅପରାଜିତାଙ୍କ ଭାଇ ଭଳି ବୋଲି କହିବା ସହ ବାବୁସାନ ଚେନ୍ନାଇରୁ ଫେରିବା ଦିନ ପ୍ରଥମେ ସେ ତାଙ୍କ ମେସେଜ୍ ଗଣମାଧ୍ୟମକୁ ଦେଇଥିଲେ । ତେବେ କୁହାଯାଉଛି ସେ ହିଁ ଦୁଇ ପରିବାର ଭିତରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ପ୍ରଥମେ ବାବୁସାନଙ୍କ ପରିବାର ସହ ଆଲୋଚନା କରିବା ପରେ ତୃପ୍ତିଙ୍କ ଘରକୁ ଯାଇଥିଲେ ରବି ମିଶ୍ର । ଆଉ ସେଠାରେ ପ୍ରାୟ ୧୦ରୁ ୧୫ ମିନିଟ ଧରି ତୃପ୍ତିଙ୍କ ସହିତ ସେ ଆଲୋଚନା କରିଛନ୍ତି । ବାବୁସାନଙ୍କ ପରିବାର ତାଙ୍କୁ କ୍ଷମା ମାଗିଥିବା କଥା ଜଣାଇଛନ୍ତି । ଯାହାର ଉତ୍ତରରେ ତୃପ୍ତି କହିଥିଲେ ଯେ, ସେ ଅପେକ୍ଷା କରିବେ ଓ ଦେଖିଚାହିଁ ନିଷ୍ପତ୍ତି ନେବେ ।

ଗତ ୨୩ ତାରିଖରେ ଖାରବେଳନଗର ଥାନାରେ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ବାବୁସାନଙ୍କୁ ପଚରା ଉଚରା କରିବା କଥା ପୋଲିସ । ହେଲେ ଆଜି ମଧ୍ୟ ବାବୁସାନ ପୋଲିସ ଷ୍ଟେସନ ଯାଇ ନାହାନ୍ତି କିମ୍ବା ପୋଲିସ ମଧ୍ୟ ତାଙ୍କ ଘରକୁ ଆସିନାହିଁ । ଆଉ ଏହାରି ଭିତରେ ଆରମ୍ଭ ହୋଇଛି ଆପୋଷ ସମାଧାନ ପାଇଁ ଉଦ୍ୟମ । ବାବୁସାନଙ୍କ ଓକିଲ ଧରଣୀଧର ନାୟକ ମଧ୍ୟ କନକ ନ୍ୟୁଜକୁ ସୂଚନା ଦେଇ କହିଥିଲେ ଯେ, ଦୁଇ ପରିବାର ଆପୋଷ ସମାଧାନର ଉଦ୍ୟମ କରୁଛନ୍ତି ।

ଏପଟେ ଚେନ୍ନାଇରୁ ଫେରିବା ପରେ ପ୍ରଥମଥର ସାମ୍ନାକୁ ଆସିଛନ୍ତି ପ୍ରକୃତି ମିଶ୍ର । ଛାତ ଉପରକୁ ଆସିଥିବାବେଳେ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା ପ୍ରକୃତି ମିଶ୍ରଙ୍କ ଛବି । ଠିକ ସମୟରେ ସେ ସବୁକିଛି କହିବେ ବୋଲି ଛାତ ଉପରୁ କହିଥିଲେ । ପରେ ବାପା ମନ୍ମଥ ମିଶ୍ର ଆସି ତାଙ୍କୁ ଛାତ ଉପରୁ ନେଇ ଯାଇଥିଲେ । ତେବେ ମନ୍ମଥ ମିଶ୍ର ମଧ୍ୟ ବାବୁସାନ ଓ ତୃପ୍ତିଙ୍କ ଭିତରେ ଆପୋଷ ମିଳାମିଶା ହୋଇଯାଉ ବୋଲି ମତ ରଖିଛନ୍ତି । ପ୍ରଥମରୁ ହିଁ ସେ ଘଟଣାର ସମାଧାନ ଚାହୁଁଥିବା କହିଛନ୍ତି ।