ମାର୍ଶାଘାଈ ବ୍ଲକର ନରାୟଣପୁର ଏବଂ ଆଙ୍କୋ ଗାଁରେ ଡରାଉଛି ଚିତ୍ରତ୍ପୋଳା ନଦୀ । ଲୋକଙ୍କୁ ଘାରିଛି ଭିଟାମାଟି ହରାଇବା ଚିନ୍ତା । 

76

କନକ ବ୍ୟୁରୋ: କୁଳ ଖାଉଛି ନଦୀ । ଆଗକୁ ଆଗକୁ ମାଡି ଚିତ୍ରତ୍ପୋଳା ନଦୀ । ନଦୀ କୂଳ ଖାଉଥିବା ବେଳେ ଭିଟାମାଟି ହରାଇବା ଚିନ୍ତାରେ ନଦୀ କୂଳିଆ ବାସିନ୍ଦା । ଦିନେ ଗାଁ ଠାରୁ ଅନେକ ଦୁରରେ ପ୍ରବାହିତ ହେଉଥିଲା ନଦୀ । ହେଲେ ସମୟ କ୍ରମେ ନଦୀ ଏବେ ଜନବସତି ନିକଟରେ ପହଞ୍ଚିଲାଣି । ବଡବଡ ଅତଡା ଖସିବା ଫଳରେ ଜମିବାଡି ସବୁ ନଦୀଗର୍ଭରେ ଲୀନ ହେବାକୁ ବସିଲାଣି  । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ନରାୟଣପୁର ଏବଂ ଆଙ୍କୋ ଗାଁରେ ଚିତ୍ରତ୍ପୋଳା ନଦୀର ଏଭଳି କରାଳ ରୂପ ଦେଖିବାକୁ ମିଳୁଛି । ନଦୀ ଘର ନିକଟ ଦେଇ ପ୍ରବାହିତ ହେଉଥିବାରୁ କାଳେ ମଣିଷ କି ଗୃହପାଳିତ ପଶୁ ନଦୀକୁ ଖସିପଡିବେ, ସେଥିପାଇଁ ଭୟରେ ଗ୍ରାମବାସୀମାନେ ବାଉଁଶ ବାଡ ଦେଇଛନ୍ତି ।

ଚିତ୍ରତ୍ପୋଳା ନଦୀର ବାମ ପଟେ ଏହି ଦୁଇଟି ଗାଁ ରହିଛି । ଆଙ୍କୋ ଗାଁରେ ପ୍ରାୟ ୨୧ଟି ପରିବାର ରହୁଥିବା ବେଳେ ନାରାୟଣପୁର ଗାଁରେ ପ୍ରାୟ ୧୧୦ ପରିବାର ବସବାସ କରୁଛନ୍ତି । ଖରାଦିନେ ଯାହା ଯେମିତି ଦିନ କଟିଯାଉଛି । ହେଲେ ବର୍ଷା ଦିନେ ନଦୀରେ ଅଧିକ ପାଣି ପ୍ରବାହିତ ହେବାରୁ ଲୋକଙ୍କ ଚିନ୍ତା ବଢିଯାଉଛି । ନଦୀ ବନ୍ଧରେ ଦିଆଯାଇଥିବା ପଥର ପ୍ୟାକିଂ ଅନେକ ସ୍ଥାନରେ ଖସିଯାଇଛି । ଗ୍ରାମବାସୀମାନେ ଏନେଇ ଜଳ ସମ୍ପଦ ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇନାହିଁ ବୋଲି ଅଭିଯୋଗ ହୋଇଛି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ସର୍ଭେ କାର୍ଯ୍ୟ ସରିଛି ଟେଣ୍ଡର ହେଲା ପରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ  ।