ଅଧାରେ ରହିଗଲା ସୈନିକ ହେବାର ସ୍ୱପ୍ନ । କଟକ ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ ।

139

କନକ ବ୍ୟୁରୋ: କଟକ ଯୋବ୍ରା ବ୍ୟାରେଜରେ ସନ୍ତରଣ ପ୍ରଶିକ୍ଷଣ ହେଲା କାଳ । ପହଁରା ଅଭ୍ୟାସ ବେଳେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ହେଲେ ଜଗତପୁର ଏଲଏନଏସ କଲେଜର ସୋହେଲ ଖାଁ । ତେବେ ସୋହେଲ ଭଲ ପହଁରା ଜାଣିଥିଲେ, ତା ସତ୍ତ୍ୱେ ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

ଆଶା ଥିଲା ସେନାକୁ ଯିବେ, ଦେଶର ସୁରକ୍ଷା ପାଇଁ କାମ କରିବେ । ଅଗ୍ନିବୀର ହେବା ପାଇଁ ନିୟମିତ ଅଭ୍ୟାସ କରୁଥିଲେ । ଦୌଡ଼, ପହଁରା, ଲଙ୍ଗଜମ୍ପ, ହାଇଜମ୍ପ, ଯୋଗ୍ୟତା ପରୀକ୍ଷା କୌଣସି ବିଭାଗରେ ଯେମିତି ପଛରେ ରହିବେନି, ସେଥିପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ । ହେଲେ, କଟକ ପୀର ବଜାର ଅଞ୍ଚଳର ସୋହେଲ ଖାନଙ୍କ ଜୀବନରେ ଏମିତ ଏକ ଅଘଟଣ ଘଟିଗଲା ଯେ, ସବୁ ଆଶାକୁ ଗୋଟିଏ ଝଟକାରେ ଅଧୁରା ରହିଗଲା । ପରିବାର ପୁଅ, ସବୁଦିନ ପାଇଁ ଏକ ଅଫେରା ଦୁନିଆକୁ ଚାଲିଯାଇଛନ୍ତି ।

  • ସମୟ: ପ୍ରାୟ ସକାଳ ୯ଟା
  • ସ୍ଥାନ: ଯୋବ୍ରା ବ୍ୟାରେଜ, ମହାନଦୀ ପଠା

ସନ୍ତରଣ ତାଲିମ ନେବା ପାଇଁ, ୨୦ରୁ ୨୫ ଜଣ ମହାନଦୀକୁ ଓହ୍ଲାଇଥିଲେ । ସବୁ କିଛି ଠିକ୍ଠାକ୍ ଚାଲିଥିଲା । ହେଲେ ଅଚାନକ୍ ଘଟିଗଲା ଅଘଟଣ । ସନ୍ତରଣ ସମୟରେ ହଠାତ୍ ବୁଡ଼ି ଯାଇଥିଲେ ସାହେଲ । ଦୀର୍ଘ ସମୟ ଧରି ଖୋଜାଖୋଜି ଚାଲିଥିଲା । କିନ୍ତୁ ସୋହେଲ ଯେତେବେଳେ ଠାବ ହେଲେ, ସେତେବେଳେ ସବୁ କିଛି ସରିଯାଇଥିଲା । ମୃତ ସୋହେଲଙ୍କୁ ଦେଖି ଭାଙ୍ଗି ପଡ଼ିଥିଲା ପୁରା ପରିବାର । ତେବେ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିବା ଉଇ ଆର୍ ଉଇନର୍ ନାମକ ସଂସ୍ଥାର ମାଲିକ ବିକାଶ ସ୍ୱାଇଁକୁ ପୁଲିସ୍ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଏହି ସଂସ୍ଥାକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି ।

  • ପ୍ରଶିକ୍ଷଣ ଦେଉଥିବା ଏହି ସଂସ୍ଥା ପଞ୍ଜିକରଣ ହୋଇଥିଲା ନା’ ନାହିଁ?
  • ତାଲିମ ଦେବା ପୂର୍ବରୁ ଆବଶ୍ୟକୀୟ ଉପକରଣ ମହଜୁତ୍ ଥିଲା ନା ନାହିଁ ?
  • ଅଘଟଣର ଆଶଙ୍କା ସମୟରେ ରେସକ୍ୟୁ ପାଇଁ କ’ଣ ବ୍ୟବସ୍ଥା ଦିଆଯାଇଥିଲା ?

ସୂଚନା ଅନୁସାରେ ସେନାରେ ଯୋଗ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନେ ଏହି ସଂସ୍ଥାରେ ଅଭ୍ୟାସ କରୁଥିଲେ । ଯେଉଁଠି ପ୍ରାୟ ୬୦ ଜଣ ତାଲିମ ନେଉଥିଲେ । ହେଲେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନଥିବାରୁ ସୋହେଲଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।