ସମ୍ବଲପୁର ହିଂସାକାଣ୍ଡ : ସ୍ଥିତି ପରିଖିବେ ବିଜେପି କେନ୍ଦ୍ରୀୟ ଟିମ୍; ଆଜି ହିସାଂକାଣ୍ଡ ଅଞ୍ଚଳ ବୁଲି ଦେଖିବା ପରେ ଦେବେ ରିପୋର୍ଟ

121

କନକ ବ୍ୟୁରୋ : ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଁଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଆଜି ଏହି ଟିମ୍ ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବ । ଏହାସହ କାହିଁକି ଏପରି କାଣ୍ଡ ଘଟିଲା, ସେ ନେଇ ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେମାନେ କେନ୍ଦ୍ରୀୟ ନେତାଙ୍କୁ ରିପୋର୍ଟ ଦେବେ । ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦୋଷ ଦେଇଛି କେନ୍ଦ୍ରୀୟ ଟିମ୍ ।

ବ୍ରିଜ ଲାଲ କହିଛନ୍ତି, ହିଂସାକାଣ୍ଡ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା । ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି, ଆଉ ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ହୋଇନଥାନ୍ତା । ଏପଟେ ସମ୍ବଲପୁର ହିଂସାକାଣ୍ଡର ଏନଆଇଏ ତଦନ୍ତ ପାଇଁ ରାଜ୍ୟ ବିଜେପି ନେତା ଦାବି କରି ଆସୁଛନ୍ତି । ଚର୍ଚ୍ଚା ହେଉଛି, ବିଜେପିର କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେବା ପରେ ଏନ୍ଆଇଏ ତଦନ୍ତ ପାଇଁ ବାଟ ଫିଟିପାରେ ।

ସେପଟେ ବିଜେଡି ଏହାର ଜବାବ ରଖିଛି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିରୋଧରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି କାଁ ଭାଁ ହିଂସାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରୁଛି ବିଜେପି । ରାଜନୈତିକ ଉଦ୍ଦେଶ୍ୟ ରଖି ସମ୍ବଲପୁର ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍ । ଶାନ୍ତି ଫେରୁଥିବା ବେଳେ ଆଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ ନହେଉ ବୋଲି ବିଜେଡି କହିଛି ।