କନକ ବ୍ୟୁରୋ: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବାକୁ ବାଧ୍ୟ । କିନ୍ତୁ ଆଜି ବି ଅଧିକାଂଶ ଦୋକାନରେ ଇଂରାଜୀରେ ନାମ ଫଳକ ଲେଖାଯାଇଛି । କିଛି ପ୍ରତିଷ୍ଠାନ ଧର୍ମକୁ ଆଖିଠାର ମାରିବା ଭଳି ଛୋଟ ଛୋଟ ଓଡ଼ିଆ ଅକ୍ଷରରେ ଲେଖି କାମ ସାରି ଦେଇଛନ୍ତି । ହେଲେ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ପ୍ରକୃତ ନାମଫଳକ ରହିଛି । ନିୟମ ପରେ ନିୟମ ହେଉଛି, ବିଜ୍ଞପ୍ତି ପରେ ବିଜ୍ଞପ୍ତି ଆସୁଛି, ହେଲେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆନ୍ତରିକତା ନଥିବା ଭଳି ଲାଗୁଛି ।
ଏପ୍ରିଲ ୬ ତାରିଖରେ ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ନେଇ ଥିବା ଅଧିନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ କଡ଼ାକଡ଼ି ନିରୀକ୍ଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା ।
ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ
- ଖିଲାପକାରୀ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଦିଆଯିବ ୭ ଦିନିଆ ନୋଟିସ୍
- ପ୍ରଥମଥର ଖିଲାପକାରୀ ଦେବେ ୫ ହଜାର ଟଙ୍କା ଜୋରିମାନା
- ଦ୍ୱିତୀୟ ଥର ଖିଲାପ କଲେ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ ଫାଇନ୍
ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ସରକାର ନିୟମ ତ କରୁଛନ୍ତି, କିନ୍ତୁ ଏହା କିପରି କାର୍ଯ୍ୟକାରୀ ହେବ, ଏ ନେଇ ଦୃଷ୍ଟି ଦେଉନାହାନ୍ତି । କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହାକୁ ଖାତିର କରୁନାହାନ୍ତି ଦୋକାନୀ । ନାମଫଳକ ପୂର୍ବଭଳି ଇଂରାଜୀରେ ରହିଛି । ଶ୍ରମ ବିଭାଗ ଏହାର ନିରୀକ୍ଷଣ କରିବା କଥା । କିନ୍ତୁ ଶ୍ରମ ମନ୍ତ୍ରୀଙ୍କ ଯୁକ୍ତି ଅଲଗା ।
ଏଠି ପ୍ରଶ୍ନ ଉଠୁଛି...
- କାହିଁକି ଖିଲାପକାରୀଙ୍କ ବିରୋଧରେ ହେଉନାହିଁ କାର୍ଯ୍ୟାନୁଷ୍ଠାନ?
- ନିୟମ କଡ଼ାକଡ଼ି ଲାଗୁ ପାଇଁ କାହିଁକି କୋହଳ ପଡ଼ୁଛି ପ୍ରଶାସନ?
- କେତେଜଣ ଖିଲାପକାରୀଙ୍କ ଠାରୁ ଆଦାୟ ହୋଇଛି ଜୋରିମାନା?