ରାଜଧାନୀ ରାସ୍ତାରେ ଅଘୋଷିତ ଅଚଳାବସ୍ଥା । ଟ୍ରାଫିକ ବିଭ୍ରାଟ ପାଇଁ ଦାୟୀ କିଏ ?

ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ନଥିଲା କି ପୁଲିସ ବିଭାଗ ?  ଘଂଟା ଘଂଟା ଧରି ରାସ୍ତା ଜାମ୍ ରହିଲା, ଟ୍ରାଫିକ ବିଭ୍ରାଟ ଥିଲା ଗୁରୁତର ।

617

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଚାଷୀ ଆନ୍ଦୋଳନ କରୁନାହିଁ କିମ୍ବା ପ୍ରଥମ ଥର ପାଇଁ ହକ୍ ପାଇଁ ରାସ୍ତାକୁ ଓହ୍ଲାଇନାହିଁ । ୫ ତାରିଖରେ ଭୁବନେଶ୍ୱର ଚାଲ ଡାକରା ଦିଆଯାଇଥିଲା । ବିଭିନ୍ନ ଆଡୁ ଚାଷୀ ପଦଯାତ୍ରାରେ ମୁହାଁଇଥିଲେ ରାଜଧାନୀ । ପୋଲିସ ସବୁ ଜାଣିଥିଲା । ହେଲେ ଚରମ ଅବ୍ୟବସ୍ଥା ଆଜି ରାଜଧାନୀରେ ଅଘୋଷିତ ଅଚଳାବସ୍ଥା ସୃଷ୍ଟି କରିଛି । ସାରା ଭୁବନେଶ୍ୱରରେ ଆଜି ଟ୍ରାଫିକ୍ ଅଚଳ ହୋଇ ପଡିଥିଲା । କଟକ ଆଡୁ ରାଜଧାନୀରେ ପଶିବା ଥିଲା ମୁସ୍କିଲ । ଆଉ ଖୋର୍ଦ୍ଧା ପଟୁ ମଧ୍ୟ ସମାନ ଅବସ୍ଥା । ଏନଏଚ ଅବରୋଧ କରି ଚାଷୀ ଆନ୍ଦୋଳନ କରୁଥିଲେ ଆଉ ପୋଲିସ ଥିଲା ନୀରବଦ୍ରଷ୍ଟା । ଖାଲି ଏତିକି ନୁହେଁ, ଟ୍ରାଫିକ ବାବଦ କୈାଣସି ପୂର୍ବ ସୂଚନା ପୋଲିସ ବିଭାଗ ପକ୍ଷରୁ ଦିଆଯାଇନଥିବା ବେଳେ, ଅଯଥାରେ ଗାଡି ଗୁଡିକୁ ବିଭିନ୍ନ ରାସ୍ତାକୁ ଡାଇଭର୍ଟ କରିବା ଫଳରେ ଜୟଦେବ ବିହାର ରାସ୍ତା ଏବଂ ହଂସପାଳ ରାସ୍ତାରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା ।

ଏଠି ପ୍ରଶ୍ନ ଉଠୁଛି, ହଜାର ହଜାର ଚାଷୀ ଯେତେବେଳେ ରାଜଧାନୀକୁ ଆସିବେ ବୋଲି ଘୋଷଣା କରିଥିଲେ, ତାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ସଜାଗ ହେବାର ଆବଶ୍ୟକତା ନଥିଲା କି ? ସାଧାରଣ ଲୋକଙ୍କ ପାଇଁ କାହିଁକି ପୂର୍ବରୁ ଟ୍ରାଫିକ ବାବଦ ସୂଚନା ଜାରି କରାଗଲା ନାହିଁ? ଏହାକୁ ନେଇ ଏବେ ପ୍ରଶ୍ନବାଚୀ ତିଆରି ହୋଇଛି । ଆନ୍ଦୋଳନ ସମୟରେ ରାସ୍ତା ଅବରୋଧ ଫଳରେ ନାନା ଅସୁବିଧାର ସାମ୍ନା କରୁଥିବା ଲୋକଙ୍କୁ ସଠିକ ଭାବେ ଗାଇଡ୍ କରିବାରେ ମଧ୍ୟ ପୁଲିସ ବିଭାଗର ବିଫଳତା ଜଳଜଳ ହୋଇ ଦେଖା ଯାଉଥିଲା । ଲାଗୁଥିଲା, ସ୍ଥିତିର ମୁକାବିଲା ପାଇଁ ଯେଉଭଳି କୈାଣସି ପ୍ରସ୍ତୁତି କରାଯାଇନାହିଁ ।

କଟକ ଆଡୁ ଭୁବନେଶ୍ୱର ଆସୁଥିବା ଅନେକ ଗାଡି ମଟର ରାସ୍ତାରେ ଅଟକି ରହିଥିବା ବେଳେ ତମାଣ୍ଡୋ ପଟୁ ମଧ୍ୟ ସମାନ ଅସସ୍ଥା ଦେଖିବାକୁ ମିଳିଥିଲା । ଆଉ ସବୁକିଛିକୁ ବଳି ଯାଇଥିଲା ରାଜଧାନୀ ଭିତରେ ଟ୍ରାାଫିକ ପୁଲିସ ପକ୍ଷରୁ କରାଯାଇଥିବା ରୁଟ୍ ଡାଇଭର୍ସନ । ଯାହା ଫଳରେ ରାସ୍ତା ଉପରେ ଘଂଟା ଘଂଟା ଧରି ଗାଡି ମଟର ଅଟକି ରହିଥିଲା । ଜୟଦେବ ବିହାର ଓଭରବ୍ରିଜ ଦେଇ କୈାଣସି ଚାରି ଚକିଆ ଯାନକୁ ଛଡାଯାଉନଥିଲା । କାଳେ କୈଣସି ଗାଡିରେ ଚାଷୀ ଭୁବନେଶ୍ୱର ପଳେଇ ଆସିବେ, ହୁଏତ ଏହି ଡର ଘାରିଥିଲା ପୁଲିସ ବିଭାଗକୁ । ଏହି ରୁଟ ଡାଇଭର୍ସନ ଫଳରେ ଗୁରୁତର ବିଭ୍ରାଟ ରାସ୍ତାରେ ଦେଖୀବାକୁ ମିଳିଥିଲା ।

ଖଣ୍ଡଗିରି ପଟୁ ରସୁଲଗଡ ଆସୁଥିବା ଲୋକଙ୍କ ସାମ୍ନାରେ ଟ୍ରାଫିକ ଭିଡ ଆଉ ରୁଟ ଡାଇଭର୍ସନ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା । ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ସାଧାରଣ ଲୋକଙ୍କ କହିବା ଅନୁସାରେ, ଯଦି ପୁଲିସ ଏତେ ସଜାଗ ଥିଲା ତେବେ ପୂର୍ବରୁ ଏବାବଦରେ ଲୋକଙ୍କୁ କାହିଁକି ସଚେତନ କଲାନାହିଁ ? ଚାଷୀ ଆଉ ସରକାରଙ୍କ ଭିତରେ ଚାଲିଥିବା ଟଣାଓଟରାରେ କିନ୍ତୁ ରାଜ୍ୟ ପୁଲିସ ବିଭାଗର ପାରିବା ପଣିଆ ଉପରେ ଆଜି ବଡ ପ୍ରଶ୍ନବାଚୀ ସୃଷ୍ଟି ହେଲା କାରଣ ସ୍ଥିତିର ମୁକାବିଲା କରିବାରେ ଏକ ବିଫଳତା ସାମ୍ନାକୁ ଆସିଲା । ହଜାର ହଜାର ଚାଷୀ ରାଜଧାନୀକୁ ଆସିବେ ବୋଲି ଘୋଷଣା କରିଥିଲେ, ତାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ସଜାଗ ହେବାର ଆବଶ୍ୟକତା ନଥିଲା କି? ସାଧାରଣ ଲୋକଙ୍କ ପାଇଁ କାହିଁକି ପୂର୍ବରୁ ଟ୍ରାଫିକ ବାବଦ ସୂଚନା ଜାରି କରାଗଲା ନାହିଁ ?