ପୋଲ ତିଆରି କଲାନି ପ୍ରଶାସନ, କରିଦେଖାଇଲେ ଗାଁଲୋକେ ! ନଦୀ ଉପରେ ଝୁଲା କାଠ ପୋଲ ବନାଇଲେ ଗ୍ରାମବାସୀ ।

88

କନକ ବ୍ୟୁରୋ : ପ୍ରଶାସନକୁ କହି କହି ନିରାଶ ହେବା ପରେ ଶେଷରେ ନିଜେ ପୋଲ ତିଆରି କଲେ ଗ୍ରାମବାସୀ । ରାୟଗଡା କଲ୍ୟାଣସିଂହପୁରକୁ ବିନିଶପୁର ଗାଁ ଓ ୬ଟି ପଂଚାୟତ ସହ ଯୋଡୁଥିବା ପୋଲକୁ ନିଜେ ବନାଇଛନ୍ତି ଗାଁଲୋକେ । କଲ୍ୟାଣସିଂହପୁର ଯିବା ପାଇଁ ନାଗାବଳୀରେ ଥିବା ଝୁଲା କାଠ ପୋଲ ଉପରେ ନିର୍ଭର କରନ୍ତି ପ୍ରାୟ ୬ଟି ପଂଚାୟତର ଗ୍ରାମବାସୀ ।

ପୋଲ କରିବାରେ ବିଫଳ ହେଲା ପ୍ରଶାସନ । ଯାହା କରିପାରିନି ପ୍ରଶାସନ ତାହା କରି ଦେଖାଇଛନ୍ତି ଗ୍ରାମବାସୀ । ରାୟଗଡା ଜିଲ୍ଲା ବିନିଶପୁରରେ ବନ୍ୟା ପାଣିରେ ଧୋଇ ଯାଇଥିଲା ନାଗାବଳୀ ନଦୀରେ ଥିବା ଝୁଲାପୋଲ । ନୂଆ କାଠ ପୋଲ ତିଆରି ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । କିନ୍ତୁ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲାନାହିଁ । ଶେଷରେ ଗାଁଲୋକେ ଘର ପିଛା ୨ଶହ ଟଙ୍କା ଓ ବାଇକ ଚାଳକଙ୍କ ଠାରୁ ଶହେ ଟଙ୍କା ଆଦାୟ କରି ନିଜ ଶ୍ରମରେ ଝୁଲା କାଠ ପୋଲ ନିର୍ମାଣ କରିଛନ୍ତି ।

ବିନିଶପୁର ଝୁଲାପୋଲ କଲ୍ୟାଣସିଂହପୁର ସହ ୬ଟି ପଂଚାୟତକୁ ସଂଯୋଗ କରିଥାଏ । ବର୍ଷାରେ ଏହି ପୋଲ ଧୋଇଯିବା ପରେ ଲୋକଙ୍କ ସମସ୍ୟା ବଢିଯାଇଥିଲା । ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଉ କିମ୍ବା ସ୍କୁଲ କଲେଜ ଯିବା ହେଉ, ସମସ୍ତେ ସମସ୍ୟାର ସମ୍ମୁଖିନ ହେଉଥିଲେ । ଏଥିରୁ ମୁକ୍ତି ପାଇବା ପାଇଁ ଅଂଟା ଭିଡିଥିଲେ ଗ୍ରାମବାସୀ । ନିଜ ଉଦ୍ୟମରେ ବିନିଶପୁର ଗାଁଲୋକେ କାଠ ପୋଲ ନିର୍ମାଣ କରି ଉଦାହରଣ ସାଜିଛନ୍ତି । ଏହାସହ ନାଗାବଳୀ ନଦୀରେ ଶୀଘ୍ର ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଦାବି ଦୋହରାଇଛନ୍ତି ।