ଛୋଟ ସିନା ଦାନ ତା ମହାନ ! ତିନିଶହ ପିଲାଙ୍କ ଭବିଷ୍ୟତ ଗଢିବାର ନେଲେ ଦାୟିତ୍ୱ

61

ଦେଶ ନିର୍ମାଣରେ ଶିଶୁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ସେମାନେ ଦେଶର ଭବିଷ୍ୟତ । ଚାଚାଙ୍କ କଥାକୁ ମାନିଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର । ଆଉ ସୃଷ୍ଟି କରିଛନ୍ତି ବିରଳ ନିଦର୍ଶନ । ସେ ହେଉଛନ୍ତି ଗୁରଗାଁଓ ସନ ସିଟି ନିବାସି ତୁଷାର ମେହେରୋତ୍ରା । ପାଥ ୱେଜ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ତୁଷାର ଗଣିତ ଓ ବିଜ୍ଞାନ ପଢିବାକୁ ଭଲପାଆନ୍ତି । ତାସହ ଗଲ୍ଫ ଖେଳିବାକୁ ପସନ୍ଦ କରେ ତୁଷାର ।

କିନ୍ତୁ ସେକ୍ଟର ୫୪ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇଁ ତୁଷାର ସାଧାରଣ ଛାତ୍ର ନୁହନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ଏହି ସ୍କୁଲରେ ଗତ ତିନି ମାସ ହେଲା ଇଂରାଜୀ ଓ ମନୋବିଜ୍ଞାନ ପଢାଉଛନ୍ତି ୧୫ ବର୍ଷର ଛାତ୍ର ତୁଷାର । ୩ଶହ ଛାତ୍ରଛାତ୍ରୀ ଥିବା ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଓ ନିଜ ସଂଚୟ କରିଥିବା ଟଙ୍କାରେ ସ୍କୁଲର ପରିବେଶ ବଦଳାଇବାକୁ ଚେଷ୍ଟା କରିଛନ୍ତି । ସ୍କୁଲରେ ଫ୍ୟାନ, ୱାଟର ଫିଲଟର ସହ ଛାତ୍ରଛାତ୍ରୀଙ୍କୁ ବହି ଦାନ କରୁଛନ୍ତି । ତା ସହ ସ୍କୁଲ ୟୁନିଫର୍ମ ଓ ସପ୍ତାହର ଶନିବାର, ରବିବାରରେ ପିଲାଙ୍କୁ ପାଠପଢାଉଛନ୍ତି ଦଶମ ଶ୍ରେଣୀ ଛାତ୍ର ତୁଷାର ।

ତୁଷାରଙ୍କ ଇଚ୍ଛା ସେ ଏପରି ଏକ ସ୍କୁଲ କରିବେ ଯେଉଁଠି ଛାତ୍ରଛାତ୍ରୀମାନେ ପାଠ ପଢିବା ସହ ସମାଜର ଦାୟିତ୍ୱ ନେଇପାରିବେ । ତୁଷାର ବହି ଦାନ କରିବା ସହ ସେହି ସରକାରୀ ସ୍କୁଲରେ ଲାଇବ୍ରେରୀ କରିଛନ୍ତି । ତୁଷାର କହିଛନ୍ତି ମୁଁ ସ୍କୁଲକୁ ଥରେ ବହି ଦାନ କରିବା ପାଇଁ ଯାଇଥିଲି । କିନ୍ତୁ ସ୍କୁଲକୁ ଯିବା ପରେ ସ୍କୁଲର ଅବସ୍ଥା ଦେଖି ମୁଁ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ଚାହିଁଥିଲି । ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ନିଷ୍ପତ୍ତି ତୁଷାରଙ୍କର ଥିଲା ଆମେ କେବଳ ତାଙ୍କୁ ସାହାଯ୍ୟ କରିଥିଲୁ ବୋଲି କହିଛନ୍ତି ତୁଷାରଙ୍କ ବାପା –ମାଆ ।

ତୁଷାରଙ୍କ ମାଆ ରିତୁ କହିଛନ୍ତି, “ସେ ସ୍କୁଲକୁ ଯିବା ପରେ ଭାବ ବିହ୍ୱଳିତ ହୋଇପଡିଥିଲା ଓ ସ୍କୁଲ ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ଏବଂ କିଛି ଦିନ ପରେ କହିଥିଲା ଏବେ ମୁଁ ଖୁସି ପିଲାଙ୍କ ପାଇଁ ସ୍କୁଲରେ କିଛି ଅଛି । ଯାହା ତାଙ୍କୁ କିଛି କରିବା ପାଇଁ ଶକ୍ତି ଯୋଗାଇଥିଲା ।
ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପାଇଁ ତୁଷାର ପ୍ରଥମେ ଅନଲାଇନରେ କ୍ରୋ ଫଣ୍ଡିଂ ଆରମ୍ଭ କରିଥିଲେ ଓ ଶେଷରେ ସ୍କୁଲରେ ଫ୍ୟାନ ଲଗାଇବା ପାଇଁ ତାଙ୍କ ବାପା-ମାଆଙ୍କ ସହାୟତା ଲୋଡିଥିଲେ । ସେ ପର୍ଯ୍ୟନ୍ତ ସ୍କୁଲରେ ଫ୍ୟାନ ଲାଗିନଥିଲା । ସେ କହିଛନ୍ତି ମୁଁ ଭାବିପାରିନଥିଲି ଗରମ ଦିନରେ ସ୍କୁଲରେ ପିଲାମାନେ କିପରି ପାଠ ପଢୁଛନ୍ତି । ଗଲ୍ଫ କ୍ଲବ କିଣିବା ପାଇଁ ରଖିଥିବା ଦୁଇ ହଜାର ଟଂକା ପ୍ରଥମେ ଦେଇଥିଲେ ତୁଷାର ।
ସ୍କୁଲରେ ଫ୍ୟାନ ଲଗାଇବା ତୁଷାରଙ୍କର ପ୍ରଥମ କାମ ଥିଲା । ସେ କହିଛନ୍ତି, ମୁଁ ପ୍ରତି ଶନିବାର ଦିନ ସ୍କୁଲକୁ ଯାଇ ବିଭିନ୍ନ ବିଷୟରେ ପିଲାଙ୍କ ସହ ଆଲୋଚନା କରେ । ତା ସହ ଦେଶର ବିଭିନ୍ନ ସମସ୍ୟା ପ୍ରକଳ୍ପ ମାଧ୍ୟମରେ ପିଲାଙ୍କୁ ବୁଝାଇଥାଏ । ନିକଟରେ ତୁଷାର ପିଲାମାନଙ୍କୁ ପୋଷ୍ଟର ମାଧ୍ୟମରେ ପ୍ରଦୂଷଣର ଭୟବହତା ନେଇ ବୁଝାଇଥିଲେ । ସ୍କୁଲ ପ୍ରଶାସନ କହିଛି ତୁଷାର ଛାତ୍ରଛାତ୍ରୀଙ୍କ ପାଇଁ ମଡେଲ ହୋଇ ରହିବେ । ସ୍କୁଲ ଇନ ଚାର୍ଜ ବଲବିନ୍ଦର ସିଂହ କହିଛନ୍ତି, ତୁଷାର ଯାହା କରିଛନ୍ତି ତାହା ପ୍ରଶଂସନୀୟ ।

ଟଙ୍କା କିଛି ନୁହେଁ କିନ୍ତୁ ଶିଶୁମାନଙ୍କୁ ନେଇ ତାଙ୍କର ମାନସିକତା ଅତୁଳନୀୟ । ସେ ଆସିବା ଦିନ ଠାରୁ ପିଲାଙ୍କର ଇଂରେଜ ପ୍ରତି ଆଗ୍ରହ ବଢିଛି ଓ ସେମାନେ ଅଧିକ ପଢିବା ପାଇଁ ଆଗ୍ରହ ଦେଖାଉଛନ୍ତି । ବଲବିନ୍ଦର କହିଛନ୍ତି, ତୁଷାର ଭଳି ଅନ୍ୟମାନେ ଏଭଳି ଉଦାହରଣ ସୃଷ୍ଟି କରିବା ଉଚିତ । ତୁଷାର ନିକଟରେ ଛାତ୍ରଛାତ୍ରୀଙ୍କ ପାଇଁ ୬ଶହ ଖାତା କିଣିଛନ୍ତି । ତା ସହ ୱାଟର ଫିଲଟର ଓ ଶୀତ ବସ୍ତ୍ର ପିଲାଙ୍କ ପାଇଁ ଦେଇଛନ୍ତି ।ସବୁଠୁ ବଡ ସଫଳତା ହେଉଛି, ଛାତ୍ରଛାତ୍ରୀଙ୍କ ମାନସିକତାରେ ବିରାଟ ପରିବର୍ତନ ଆସିଛି । ପିଲା ପଚାରିଲେ କଣ ପଢିବେ ସମସ୍ତେ କହୁଛନ୍ତି ଇଂରାଜୀ । ସେମାନେ ଶିଖିବାକୁ ଚାହୁଁଥିଲେ, କିନ୍ତୁ ସେମାନେ ଭୟ କରୁଥିଲେ କାରଣ ଜାଣିନଥିଲେ କିପରି ପଢିବେ । କିନ୍ତୁ ଆଜି ଆପଣ ପଚାରିଲେ ସ୍କୁଲର ୩୦୦ ଛାତ୍ରଛାତ୍ରୀ କହୁଛନ୍ତି ତାଙ୍କର ପ୍ରିୟ ବିଷୟ ହେଉଛି ଇଂରାଜୀ । ଏହି ପରିବର୍ତନର ଶ୍ରେୟ ହେଉଛି ତୁଷାରଙ୍କର ।

ଖେଳିବା ବୟସରେ ଜଣେ ନୁହେଁ ତିନିଶହ ପିଲାଙ୍କର ଦାୟିତ୍ୱ ଜଣେ ଦଶମ ଶ୍ରେଣୀ ଛାତ୍ର ନେବା ଭଳି ବିରଳ ପ୍ରଦର୍ଶନ ଆଉ କଣ ହୋଇପାରେ । ଛୋଟ ସିନା ଦାନ ତା ମହାନ । ସ୍କୁଲର ତିନିଶହ ପିଲାଙ୍କ ମାନସିକତା ବଦଳାଇବା ପାଇଁ ଜଣେ ଛାତ୍ରର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିବା ସହ ତାଙ୍କ ଭଳି ଯଦି ଜଣେ ବ୍ୟକ୍ତି ଗୋଟିଏ ସ୍କୁଲର ଦାୟିତ୍ୱ ନିଅନ୍ତେ ତେବେ ଅନେକ ଗରିବ ପିଲା ଲାଭବାନ ହୋଇପାରିବା ସହ ଦେଶ ପାଇଁ କିଛି କରିବାର ସ୍ୱପ୍ନ ଦେଖିପାରନ୍ତେ । ନଚେତ ବଣ ମଲ୍ଲୀ ବଣରେ ରହିବା ଭଳି ଏମାନଙ୍କ ଭବିଷ୍ୟତ ଅନ୍ଧାରରେ ଲୁଚକାଳି ଖେଳିବ । ତେବେ ସବୁପରେ ତୁଷାରହ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ ।