ବାଲେଶ୍ୱର ପିଠା କାର୍ଯ୍ୟକ୍ରମରେ ବିଧାୟକ ହଟହଟା । ଲୋକପ୍ରତିନିଧିଙ୍କୁ ଘେରିଲେ ଅସନ୍ତୁଷ୍ଟ ଗ୍ରାମବାସୀ । ସରକାରୀ କାର୍ଯ୍ୟକ୍ରମ ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ

112

କନକ ବ୍ୟୁରୋ: ବାଲେଶ୍ୱର ପିଠା କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଘେରିଲେ ଗ୍ରାମବାସୀ । ରାସନ କାର୍ଡ, ଚାଷୀର ଧାନବିକ୍ରି ଏବଂ ଘର ପାଇଁ ଲାଂଚ ମଗାଯାଉଥିବା ଅଭିଯୋଗ କରି ଶହ ଶହ ଲୋକ, ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ଘେରିଛନ୍ତି । ପ୍ରଶ୍ନ କରିଛନ୍ତି, ଦୀର୍ଘଦିନ ଧରି ଗାଁର ଉନ୍ନତି ପାଇଁ କଣ କରିଛ । ଗ୍ରାମବାସୀଙ୍କ ଏଭଳି ତୁହାକୁ ତୁହା ପ୍ରଶ୍ନରେ ହଟହଟା ହୋଇଛନ୍ତି ବିଧାୟକ ।

ସରକାରୀ ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବାକୁ ବାଲେଶ୍ୱରର କଷାଫଳରେ ଚାଲିଥିଲା ପିଠା କାର୍ଯ୍ୟକ୍ରମ । ହେଲେ କାର୍ଯ୍ୟକ୍ରମକୁ ଆସି ଲୋକଙ୍କ ଅସନ୍ତୋଷର ଶୀକାର ହୋଇଛନ୍ତି ବିଧାୟକ ଜୀବନ ପ୍ରଦୀପ ଦାସ । ଲୋକପ୍ରତିନିଧିଙ୍କୁ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି, ଦୀର୍ଘଦିନ ଧରି ଗାଁର ଉନ୍ନତି ପାଇଁ କଣ କରିଛ । ଘର ଖଣ୍ଡିଏ ପାଇଁ ଏଠି ୫ ହଜାର-୧୦ ହଜାର ଲାଂଚ ମଗାଯାଉଛି । ଆଉ ଯିଏ ଦେଉନି, ତାର ଆବେଦନ କାଟ୍ ଖାଉଛି ।

ବିଧାୟକଙ୍କ ଆଗରେ ଅସନ୍ତୁଷ୍ଟ ଗ୍ରାମବାସୀ ଅଭିଯୋଗର ଲମ୍ବା ତାଲିକା ରଖିଥିଲେ । କହିଥିଲେ, ସୋସାଇଟି ଅଫିସରେ ଲୁଟପାଟ୍ ଚାଲିଛି । ମଣ୍ଡି ଖୋଲୁନି । ଏଯାଏଁ ଚାଷୀର ଧାନ ବିକ୍ରି ହୋଇନାହିଁ ଆଉ ବେପାରୀ ଧାନ ବିକିସାରିଲାଣି । ବେଶ୍ କିଛି ସମୟ ଧରି ବିଧାୟକଙ୍କୁ ଘେରି ଗ୍ରାମବାସୀ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲେ । କହିଥିଲେ, ସରକାରୀ ଚାକିରିଆ, ରାସନ କାର୍ଡ ପାଉଛି ହେଲେ ମାନଦଣ୍ଡ ପୁରଣ କରି ବି, ଗରିବ ଲୋକ ବଂଚିତ ହେଉଛନ୍ତି । ପ୍ରାୟ ଘଂଟାଏ ଧରି ପିଠା କାର୍ଯ୍ୟକ୍ରମରେ ଚାଲିଲା ପାଟିତୁଣ୍ଡ । ଲୋକଙ୍କ ଘୋର ବିରୋଧ ପରେ ସରପଂଚ କ୍ଷମା ମାଗିଥିଲେ । ତଥାପି ଲୋକଙ୍କ ଅସନ୍ତୋଷ ଥମିନଥିଲା ।