ଟି-୨୦ ବିଶ୍ୱକପକୁ ନେଇ ସଚିନଙ୍କ ବଡ ଭବିଷ୍ୟବାଣୀ, ଏହି ୪ଟି ଟିମ୍ ଖେଳିପାରନ୍ତି ସେମିଫାଇନାଲ । ଟିମ୍ ଇଣ୍ଡିଆ ପାଇଁ ଦେଲେ ଭଲ ସଂକେତ ।

720

କନକ ବ୍ୟୁରୋ : ବାଜି ସାରିଛି ବିଗୁଲ, ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମହାମୁକାବିଲା । ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଭାରତ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ତେବେ ଏହାପୂର୍ବରୁ ଅଭ୍ୟାସ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୬ ରନରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ଆସିଛି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଭବିଷ୍ୟବାଣୀ । ଟି-୨୦ ବିଶ୍ୱକପକୁ ନେଇ ସଚିନ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି କରିଦେବ ନିଶ୍ଚୟ । କାରଣ ଟି-୨୦ ବିଶ୍ୱକପରେ କେଉଁ ୪ଟି ଟିମ୍ ସେମିଫାଇନାଲ ଖେଳିବ ତାହାକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ମାଷ୍ଟର ବ୍ଲାଷ୍ଟର । ଆଉ ସଚିନଙ୍କ ଏହି ଭବିଷ୍ୟବାଣୀରେ ଭାରତ ମଧ୍ୟ ରହିଛି ।

ସଚିନଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଭାରତ ସମେତ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲ ଟିକେଟ ହାତେଇବେ । ସେହିଭଳି ଡାର୍କହର୍ସ ଭାବେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଉଭା ହୋଇପାରନ୍ତି । ତେବେ ଭାରତ ଚଳିତବର୍ଷ ଟି-୨୦ ବିଶ୍ୱକପ ଚାମ୍ପିୟନ ହେଉ ଏହା ମୁଁ ବ୍ୟକ୍ତିଗତ ଭାବେ ଚାହୁଁଛି । କାରଣ ଚଳିତଥର ଭାରତ ପାଖରେ ଭଲ ବିକଳ୍ପ ରହିଛି । ଭାରତର ବିଶ୍ୱକପ ଟିମ୍ ବେଶ ସନ୍ତୁଳିତ ଥିବା ବେଳେ ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିବାର ରେକର୍ଡ ମଧ୍ୟ ଭାରତର ଭଲ ରହିଛି । ତେଣୁ ଭାରତୀୟ ଟିମ ଚାମ୍ପିୟନ ହେବ ବୋଲି ମୋର ଆଶା ଅଛି ।

ଅନ୍ୟପଟେ ଅକ୍ଟୋବର ୨୩ରେ ହେବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ସଚିନ କହିଛନ୍ତି, ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ମୋର ପସନ୍ଦର ଟିମ୍ । ମୋର ମନ ଓ ପ୍ରାଣ ଟିମ୍ ଇଣ୍ଡିଆ ସହ ରହିଛି । ଭାରତ ବିଜୟୀ ହେଉ ଏହା ମୁଁ ଚାହିଁବି । ଜଣେ ଭାରତୀୟ ଭାବେ ନୁହେଁ ବରଂ ସତରେ ଟିମ୍ ଇଣ୍ଡିଆ ଉପରେ ବିଶ୍ୱାସ ଅଛି ଯେ, କଠିନ ପରିସ୍ଥିତିରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରିବ ।

ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚର ହିରୋ ମହମ୍ମଦ ସାମିଙ୍କୁ ନେଇ ସଚିନ କହିଛନ୍ତି, ଟି-୨୦ ବିଶ୍ୱକପରୁ ବୁମରା ବାଦ୍ ପଡିବା ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା । ଅଷ୍ଟ୍ରେଲିଆ ପିଚ୍ ପାଇଁ ଦ୍ରୁତ ଓ ଅନୁଭବୀ ବୋଲରଙ୍କ ଆବଶ୍ୟକତା ରହିଥାଏ । ଯିଏ ବ୍ୟାଟରଙ୍କ ଉପରେ ଚାପ ପକାଇବା ସହ ୱିକେଟ ହାସଲ କରିବାରେ ସଫଳ ହେବ । ତେଣୁ ବୁମରାଙ୍କ ସବୁଠୁ ଭଲ ବିକଳ୍ପ ସାଜିପାରିବେ ସାମି । ଆଉ ଅଷ୍ଟ୍ରେଲିଆ ମାଟିରେ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସାମି । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଶେଷ ଓଭରରେ କଙ୍ଗାରୁ ଟିମ୍ ଠାରୁ ମ୍ୟାଚ୍ ଛଡାଇ ଆଣିଥିଲେ ସାମି । ଶେଷ ଓଭରରେ ଅଷ୍ଟ୍ରେଲିଆ ୧୧ ରନ ଆବଶ୍ୟକ କରୁଥିବା ବେଳେ ଗୋଟିଏ ରନ୍ ଆଉଟ ଓ ୩ଟି ୱିକେଟ ନେଇ ରୋମାଞ୍ଚକର ମୁକାବିଲାରେ ଟିମ୍ ଇଣ୍ଡିଆକୁ ବଡ ବିଜୟ ଭେଟି ଦେଇଥିଲେ ସାମି ।

ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚର ହିରୋ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ସଚିନ କହିଛନ୍ତି, ଲଗାତାର ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ସଫଳତା ଓ ପ୍ରଂଶସା ସାଉଁଟିବା ତାଙ୍କ ଖେଳର ଷ୍ଟାଇଲକୁ ବଦଳାଇ ଦେଇଛି । ଭବିଷ୍ୟତରେ କଣ ହେବ ସେ ବାବଦରେ ଚିନ୍ତା କରୁନଥିବାରୁ ଅତି ଦମ୍ଭର ସହ ଖେଳୁଛନ୍ତି ସୂର୍ଯ୍ୟ । ଯେଉଁଥିପାଇଁ ସୂର୍ଯ୍ୟକୁମାର ଯାଦବ ଏବେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ଏକ୍ସ ଫ୍ୟାକ୍ଟର ସାଜିଛନ୍ତି ।