ଥଣ୍ଡା କମିନି, ହେଲେ ତାତି ବଢ଼ି ଚାଲିଛି ! ରାଜଧାନୀରେ ୩୪ଂ ଟପିଲା ତାପମାତ୍ରା

70

କନକ ବ୍ୟୁରୋ : ଥଣ୍ଡା ସମ୍ପୂର୍ଣ୍ଣ ରୂପେ କମିନି ହେଲେ ରାଜଧାନୀରେ ତାପମାତ୍ରା ବଢ଼ିଲାଣି । ପ୍ରତିଦିନ ତାପମାତ୍ରା ଗୋଟିଏ ଡିଗ୍ରି ଲେଖାଏ ବଢ଼ୁଛି । ସୋମବାର ଭୁବନେଶ୍ବରରେ ଦିନର ତାପମାତ୍ରା ୩୩ ଡିଗ୍ରି ଛୁଇଁଥିବା ବେଳେ ମଙ୍ଗଳବାର ଦିନ ୩୪ଡିଗ୍ରି ପାର୍‌ ହୋଇଛି  । ଆଉ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୩୪.୮ଡିଗ୍ରି ରହିଥିଲା । ଯାହାକି ଚଳିତବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରା । ଭୁବନେଶ୍ବର ସମେତ ମାଲକାନଗିରି ତାପମାତ୍ରା ବି ଆଜି ୩୪ ଡିଗ୍ରିରେ ପହଞ୍ଚିଛି । ଦିନରେ ତାତି ଅନୁଭୂତ ହେଉଥିଲେ ମଧ୍ୟ ରାତିରେ ଥଣ୍ଡା ଜାରି ରହିଛି । ରାଜଧାନୀରେ ରାତିର ତାପମାତ୍ରା ୧୩ ଡିଗ୍ରି ରହୁଥିବା ବେଳେ ମାଲକାନଗିରିରେ ୧୨ ଡିଗ୍ରି ଭିତରେ ରହୁଛି । ପୁରୀ, ଗୋପାଳପୁର ଓ ସୁନ୍ଦରଗଡ଼ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ଏବେ ୧୧ରୁ ୧୫ ଡିଗ୍ରି ଭିତରେ ରହିଥିବା ଦେଖିବାକୁ ମିଳିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଉଛି ଯେ ଗୁରୁବାର ରାତିଠାରୁ ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲକା କୁହୁଡ଼ି ହେବ । ମଧ୍ୟ ରାତିଠାରୁ ଭୋର ୭ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବ । ହେଲେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ୮ ଓ ୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ୯ ଓ ୧୦ ତାରିଖରେ କନ୍ଧମାଳ ସମେତ ବୌଦ୍ଧ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ଏହାପରେ ପୁଣିଥରେ ଦିନର ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।