ଗାଡ଼ି ଚଳାଇଲା ବେଳେ ଫୋନରେ କଥା ହେଉଛନ୍ତି କି ? ରଦ୍ଦ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ

46

ଗାଡ଼ି ଚଳାଇବା ବେଳେ ଫୋନରେ କଥା ହେବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ଘଟୁଛି । ତଥାପି ଚେତୁନାହାନ୍ତି ଲୋକେ । ଗାଡ଼ି ଚଳାଇବା ସମୟରେ ଫୋନରେ କଥା ହେବା ଉପରେ ରୋକ ଲଗାଇବା ନେଇ ଅନେକ ପ୍ରୟାସ ଏପର୍ୟ୍ୟନ୍ତ ବିଫଳ ହୋଇଛି । ନିୟମ ନମାନିବା ଯୋଗୁଁ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ପଶ୍ଚିମବଙ୍ଗରେ ପରବହନ ବିଭାଗ ଦ୍ୱାରା ଗାଡ଼ି ଚାଳକଙ୍କୁ ପାଇଁ ଏହି ନୂଆ ନିର୍ଦ୍ଦେଶ ଜାରି ହୋଇଛି । ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ଫୋନରେ କଥା ହୁଅନ୍ତି, ତେବେ ତାଙ୍କକୁ ଲାଇସେନ୍ସ ତୁରନ୍ତ ରଦ୍ଦ କରିଦିଆଯିବ ।

କେବଳ ଏତିକି ନୁହେଁ ଚାଳକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏବଂ ପ୍ରମାଣ ପାଇଁ ସିସିଟିଭି କ୍ୟାମରୋର ବ୍ୟବହାର ମଧ୍ୟ କରାଯିବ । ସୂଚନା ଅନୁସାରେ ଗତ ମାସରେ ମୁର୍ସିଦାବାଦରେ ଜଣେ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବସ୍ ନଦୀରେ ଖସି ପଡ଼ିଥିଲା । ଯଦ୍ୱାରା ୪୩ ଜଣ ଯାତ୍ରୀ ମୃତ୍ୟୁ ମୁଖରେ ପଡ଼ିଥିଲେ । ତେବେ ଏପରି ଦୁର୍ଘଟଣାକୁ ରୋକିବା ପାଇଁ ହିଁ ସରକାର ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି । କଲିକତା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନିୟମର ଉଲଂଘନ କରିବା ଦ୍ୱାରା ଚାଳକଙ୍କୁ ଫଟୋକୁ ଲୋକେ ସୋସିଆଲ ମିଡ଼ିଆରେ ଅପଲୋଡ଼୍ କରିପାରିବେ ।

ତେବେ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନରେ କଥା ହେଲେ ଫଟୋ ଉଠାହୋଇ ଫଟୋରୁ ଗାଡ଼ିର ନମ୍ବର ଦେଖି ଜୋରିମାନା ଚାଲାଣ କଟାହେବ ବୋଲି ରାଜଧାନୀ ଭୁବନେଶ୍ୱରରେ ନିୟମ ହୋଇଥିଲା । ରାସ୍ତାରେ ଗଲାବେଳେ ଅନ୍ୟ ସବୁ ନିୟମଗୁଡ଼ିକୁ ଭାଙ୍ଗିଲେ ମଧ୍ୟ ଫଟୋ ଉଠିବ ଓ ଜୋରିମାନା ଦିଆଯିବ ବୋଲି ନିୟମ ଜାରି ହୋଇଥିଲା । ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ ଏଭଳି ଏକ ଅଭିନବ ଉପାୟ ଚିନ୍ତା କରିଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ କିଛି ଫଳପ୍ରଦ ହୋଇପାରିନି । ପଶ୍ଚିମବଙ୍ଗ ପରି ଆମ ରାଜ୍ୟରେ ମଧ୍ୟ ନିୟମ କଡ଼ାକଡ଼ି ହେଲେ ସୁଫଳ ମିଳିବ ।