ଅଲବିଦା…ଅଲବିଦା…ଅଲବିଦା: ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସୁଷମା ସ୍ୱରାଜ

459

କନକ ବ୍ୟୁରୋ: ବିଦାୟ…ବିଦାୟ…ଚିରବିଦାୟ । ଏହି ଗୋଟିଏ ଶବ୍ଦର ପୁନରାବୃତି ଭିତରେ ଲୁଚି ରହିଛି ଭାରତୀୟ ରାଜନୀତିର ସେହି ଅଜସ୍ୱୀ ଓ ତେଜସ୍ୱୀ ମହିଳାଙ୍କ ସଫଳ ରାଜନୈତିକ ଯାତ୍ରାର ପୁରା କାହାଣୀ । ଯେଉଁ ଯାତ୍ରା ଆଜି ଅନ୍ତିମ ମୋଡ଼ ଦେଇ ଲକ୍ଷ୍ୟ ସ୍ଥଳରେ ପହଂଚିଛି । ଲକ୍ଷ୍ୟପଥ ତ’ ସ୍ଥିର ଓ ଅଟଳ । ଯେଉଁ ଜୀବନଯାତ୍ରା ଆରମ୍ଭ ହୋଇଛି, ସେ ଯାତ୍ରା ସରିବ ନିଶ୍ଚିୟ । ହେଲେ ସୁଷମା ସ୍ୱରାଜ ଯେଉଁ ଜୀବନଯାତ୍ରା ଆରମ୍ଭ କରିଥିଲେ ତାହା ଅମର ଓ ଅଜେୟ । ଶରୀରରେ ସେ ଆମ ଗହଣରେ ନାହାଁନ୍ତି ସତ । ହେଲେ ସୁଷମା ଯେଉଁ ସ୍ମୃତି ଛାଡ଼ି ଯାଇଛନ୍ତି ତାହା ଅକ୍ଷୟ ଓ ଅସରନ୍ତି ।

ଦିଲ୍ଲୀର ଲୋଧୀ ରୋଡ୍ ସ୍ଥିତ ସ୍ମଶାନରେ ସମସ୍ତ ନୀତି-ପରମ୍ପରା ସରିବା ପରେ ପଂଚଭୂତରେ ଲୀନ ହୋଇଛନ୍ତି ସୁଷମା ସ୍ୱରାଜ । ଝିଅ ବାଂଶୁରୀ ସ୍ୱରାଜ ଅନ୍ତିମ ସଂସ୍କାରର ନୀତି ଶେଷ କରିବା ସହ ଜଣେ ମହିୟଷୀ ମା’ଙ୍କୁ ବିଦୟ ଦେଇଛନ୍ତି । ସୁଷମାଙ୍କ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲା, ଭାରତୀୟ ରାଜନୀତିର ପୁରା ପ୍ରତିନିଧିତ୍ୱ । ଦେଶର ତୁଙ୍ଗ ନେତାଙ୍କୁ ଯେମିତି ବାନ୍ଧି ପାରିନଥିଲା ଦଳ ଓ ଆଦର୍ଶର ଭିନ୍ନତା । ସୁଷମା ବି ତ’ ସେହିଭଳି ଜଣେ ନେତ୍ରୀ ଥିଲେ ଯିଏ, ଶାସକ, ବିରୋଧୀ ତଥା ଆଚଂଳିକ ଦଳର ନେତା ଓ ଆଦର୍ଶକୁ ସମ୍ମାନ ଦେଇଆସୁଥିଲେ ।

ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସମସ୍ତ ପ୍ରମୁଖ ମନ୍ତ୍ରୀ, ବିରୋଧୀ ଦଳର ଅସଂଖ୍ୟ ନେତା, ସାଧାରଣ ଜନତା ଓ ବିଜେପି କାର୍ଯ୍ୟକତା ସମସ୍ତେ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆଜି ଅନ୍ତିମ ସଂସ୍କାରର ଜଣେ ଜଣେ ସାକ୍ଷୀ ପାଲଟିଛନ୍ତି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ, ବାଜପେୟୀଙ୍କ ଭଳି ଅଟଳ ଏବଂ ପ୍ରମୋଦ ମହାଜନଙ୍କ ଭଳି ପ୍ରବୀଣ ବକ୍ତା, ବିଜେପିର ପ୍ରଥମ ପୀଢ଼ିର ଶୀର୍ଷ ନେତୃତ୍ୱଙ୍କ ଆରମ୍ଭ କରିଥିବା ଆଦର୍ଶକୁ ଆଗେଇ ନେବାରେ ଆଗୁଆଙ୍କଠାରୁ ବି ଆଗରେ ରହିଥିଲେ ସୁଷମା ସ୍ୱରାଜ । ଯିଏ ଆଜି ଦେଶର ଅଗଣିତ ଲୋକଙ୍କୁ ଛାଡି, ବାଛି ନେଇଛନ୍ତି ଆଉ ଏକ ଦୁନିଆର ଠିକଣାକୁ ।