ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ କି? କଣ କହିଲେ ସୁପ୍ରିମକୋର୍ଟ…

1,108

କନକ ବ୍ୟୁରୋ: ସୁପ୍ରିମକୋର୍ଟ ବୈବାହିକ ଦୁଷ୍କର୍ମକୁ ଅପରାଧର ଶ୍ରେଣୀକୁ ଆଣିବା ନେଇ ହୋଇଥିବା ମାମଲାରେ ସୋମବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହା, ଜଷ୍ଟିସ ଜେବି ପରଦିୱାଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଫେବ୍ରୁଆରୀ ୧୫ ସୁଦ୍ଧା ଜବାବ ଦେବାକୁ କହିଛନ୍ତି । ଏହା ଉପରେ ମାର୍ଚ୍ଚ ୨୧ରୁ ଶୁଣାଣି ହେବ । କୋର୍ଟ ମାର୍ଚ୍ଚରେ ଶୁଣାଣି କରି ନିଷ୍ପତ୍ତି ନେବେ ଯେ ସ୍ତ୍ରୀଙ୍କ ସହ ତାଙ୍କ ବିନା ଅନୁମତିରେ ଶାରିରୀକ ସମ୍ପର୍କ ରଖିବା ଅପରାଧ ନା ନୁହେଁ ।

ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ଗୋଟିଏ ମାମଲାରେ ସ୍ୱାମୀଙ୍କ ଉପରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ସ୍ୱାମୀଙ୍କୁ ପତ୍ନୀଙ୍କ ଉପରେ ଦୁଷ୍କର୍ମ କରିବାର ଅଭିଯୋଗକୁ ଗ୍ରହଣ କରିଥିଲେ । ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ହାଇକୋର୍ଟ ପତ୍ନୀଙ୍କ ସହ ଜୋରଜବରଦସ୍ତି ଯୌନ ସମ୍ପର୍କ ରଖିବା ପ୍ରସଙ୍ଗରେ ଆଇପିସିର ଧାରା ୩୭୬ ଅନୁସାରେ ସ୍ୱାମୀଙ୍କ ଉପରେ ଲଗାଯାଇଥିବା ଅଭିଯୋଗକୁ ଠିକ୍ ଦର୍ଶାଇଥିଲେ ।

ବୈବାହିକ ଦୁଷ୍କର୍ମ ଅପବାଦର ସାମ୍ବିଧାନିକତା ଉପରେ ଟିପ୍ପଣୀ ନକରି ହାଇକୋର୍ଟ କହିଥିଲେ ଯେ ଏହି ମାମଲାରେ ତଥ୍ୟ ଏବଂ ସ୍ଥିତି ଅନୁସାରେ ବୈବାହିକ ଦୁଷ୍କର୍ମରେ ସ୍ୱାମୀଙ୍କୁ କୌଣସି ପ୍ରକାର ରିହାତି ଦିଆଯିବ ନାହିଁ । ବୈବାହିକ ଦୁଷ୍କର୍ମକୁ ନେଇ ଲମ୍ବା ସମୟ ଧରି ଆଲୋଚନା ହୋଇଆସୁଛି ।

ଦେଶର ବିଭିନ୍ନ ହାଇକୋର୍ଟରେ ବୈବାହିକ ଦୁଷ୍କର୍ମ ମାମଲା ଆସିବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଫଇସଲା ମଧ୍ୟ ଶୁଣାଇଦେଇଥିଲେ । କୋର୍ଟ ଏହାକୁ ଅପରାଧର ପରିସରଭୁକ୍ତ କରିଥିଲେ । ତେବେ ଦିଲ୍ଲୀ ହାଇକୋର୍ଟର ଜଜ ଏଥିରେ ସହମତ ନଥିଲେ । ଏହାକୁ ସେତେବେଳେ ତିନିଜଣିଆ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଥିଲା । ପରେ ଏହିଭଳି ଥିବା ମାମଲା ଗୁଡିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।