ସୁପ୍ରିମକୋର୍ଟରେ ପହଁଞ୍ଚିଲା କୋଲକାତା ସଂକଟ । ଆସନ୍ତାକାଲି ପଶ୍ଚିମବଙ୍ଗ ସରକାର ଓ ସିବିଆଇ ପାଇଁ ଅଗ୍ନିପରୀକ୍ଷା

ପ୍ରମାଣ ଥିଲେ ପୁଲିସ କମିସନର ରାଜୀବ କୁମାର ପସ୍ତେଇବେ ବୋଲି ଚରମବାଣୀ ଶୁଣାଇଲେ ଉଚ୍ଚତମ ନ୍ୟାୟାଳୟ

127

କନକ ବ୍ୟୁରୋ: ସିବିଆଇ ଓ ରାଜ୍ୟ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ କୋଲକାତାର ଏହି ସଂକଟ ଏବେ ପହଁଚିଛି ସୁପ୍ରିମକୋର୍ଟରେ । ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଲିସିଟର ଜେନେରାଲ । ସେ ଯୁକ୍ତି ବାଢ଼ିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ବେଳେ ଅସହଯୋଗ କରି ଅଦାଲତ ଅବମାନନା କରିଛନ୍ତି ପୋଲିସ କମିସନର । ସେପଟେ ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି । ଆଉ ଏହି ପ୍ରସଙ୍ଗରେ କଠୋର ପଦକ୍ଷେପ ନେବାକୁ ଇସାରା ଦେଇଛନ୍ତି ପ୍ରଧାନ ବିଚାରପତି ରଂଜନ ଗୋଗୋଇ । ଆସନ୍ତାକାଲି ହେବ ଏହି ମାମଲାର ଶୁଣାଣୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପଷ୍ଟ ହୋଇଯିବ ଏହି ମାମଲା କେଉଁ ମୋଡ଼ ନେବ ।

ସୁପ୍ରିମକୋର୍ଟରେ କୋଲକାତା ପୋଲିସ ବନାମ ସିବିଆଇ । ମଙ୍ଗଳବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସର୍ବୋଚ୍ଚ ନ୍ୟାୟାଳୟ । ଏଥିସହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି- ‘ଯଦି ପ୍ରମାଣ ନଷ୍ଟ କରୁଥିବା ନେଇ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ଥାଏ ତାହାହେଲେ ଆମେ ଏଭଳି କଠୋର ପଦକ୍ଷେପ ନେବୁ ଯେ, ସେମାନଙ୍କୁ ପସ୍ତାଇବାକୁ ପଡିବ ।’ ମୁଖ୍ୟ ବିଚାରପତିଙ୍କ ଏହି ପଦିଏ କଥାରୁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟର ସଂକେତ ମିଳିଛି ।

 

ଯଦିଓ ତ୍ୱରିତ ବିଚାର ପାଇଁ ସିବିଆଇର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି, ତଥାପି ମଙ୍ଗଳବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟା ।

ପ୍ରଥମ ଆବେଦନ- କୋଲକାତା ପୋଲିସ କମିଶନର ତୁରନ୍ତ ଆତ୍ମସମର୍ପଣ କରନ୍ତୁ ଏବଂ ଚିଟଫଣ୍ଡ ଦୁର୍ନୀତି ସଂପର୍କିତ କୌଣସି ତଥ୍ୟ, ପ୍ରମାଣକୁ ନଷ୍ଟ ନକରନ୍ତୁ ।

ଦ୍ୱିତୀୟ ଆବେଦନ- ଅଦାଲତ ଅବମାନନା । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ସିବିଆଇ, ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବାରୁ କୋଲକାତା ପୋଲିସ କମିଶନର ରାଜୀବ କୁମାର, ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରି ସୁପ୍ରିମକୋର୍ଟଙ୍କ ଅବମାନନା କରିଛନ୍ତି ।

 

ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଆଗତ କରି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, କୋଲକାତାରେ ରାଜନୈତିକ ଦଳ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଧାରଣାରେ ବସିଥିବାରୁ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । କୋଟି କୋଟି ଟଙ୍କାର ସାରଦା ଚିଟଫଣ୍ଡ ଦୁର୍ନୀତିର ଛାନଭିନ୍ କରୁଥିଲେ କୋଲକାତା ପୋଲିସ କମିଶନର ରାଜୀବ କୁମାର । ତାଙ୍କ ବିରୋଧରେ ଅଭିଯୋଗ ହୋଇଛି, ଏସଆଇଟି ମୁଖ୍ୟ ଭାବେ ସେ କାମ କରୁଥିବାବେଳେ ଏହି ଦୁର୍ନୀତିରେ ଶାସକ ଦଳର ବହୁ ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବାରୁ ସେ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଛନ୍ତି ।

ସିଲିସିଟର ଜେନେରାଲଙ୍କ ସବୁ ଯୁକ୍ତି ଶୁଣିଥିଲେ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ । ଏହାପରେ କୋର୍ଟ କହିଥିଲେ ଯେ, ଯଦି ତଥ୍ୟ ପ୍ରମାଣ ଇଲେକଟ୍ରୋନିକ ଫର୍ମରେ ଅଛି, ତେବେ ଏହାକୁ ନଷ୍ଟ କଲେ ମଧ୍ୟ ପୁନରୁଦ୍ଧାର କରାଯାଇପାରିବ । ସେପଟେ ପ୍ରମାଣ ନଷ୍ଟ କରିଥିବା ନେଇ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ କି କି ପ୍ରମାଣ ରହିଛି ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ଜଣେ ପୋଲିସ କମିସନରଙ୍କୁ ପଚରା ଉଚରା ପାଇଁ ଉପଯୁକ୍ତ ପ୍ରକ୍ରିୟା ଗ୍ରହଣ କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ତେବେ ଏହାରି ଭିତରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି କୋର୍ଟରେ କିଛି ଯୁକ୍ତି ରଖିବାକୁ ଚାହୁଁଥିଲେ । ହେଲେ ସୁପ୍ରିମକୋର୍ଟ ଏହାକୁ ଅନୁମତି ଦେଇନାହାନ୍ତି । ମଙ୍ଗଳବାର ଚୂଡାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସ୍ପଷ୍ଟ ହୋଇଯିବ ସିବିଆଇ ବନାମ କୋଲକାତା ପୋଲିସର ଦିଗ କେଉଁଆଡକୁ ଯିବ ।