କାର୍ତ୍ତିି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା ! ସର୍ବୋଚ୍ଚ ଅଦାଲତ କହିଲେ, ଆଇନ୍ ସହ ଖେଳିଳେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

134

କନକ ବ୍ୟୁରୋ : ଏୟାରସେଲ ମାକ୍ସିସ ମାମଲାର ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା । ବିଦେଶ ଯିବା ପାଇଁ ଅନୁମତି ମାଗିଥିଲେ କାର୍ତ୍ତିି ଚିଦାମ୍ବରମ । ତେବେ କାର୍ତି ଯାଂଚରେ ସହଯୋଗ କରୁନାହାନ୍ତି ବୋଲି କହି ସୁପ୍ରିମକୋର୍ଟ ଏହି ଆବେଦନକୁ ବିରୋଧ କରିଛନ୍ତି । କାର୍ତ୍ତି ଯଦି ବିଦେଶ ଯିବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମେ ୧୦କୋଟି ଟଙ୍କା କୋର୍ଟରେ ଜମା କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଏହାସହ କାର୍ତ୍ତି ଆଇନ ସହ ଖେଳ ଖେଳିବା ବନ୍ଦ କରନ୍ତୁ ବୋଲି କଡା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରାରେ କାର୍ତ୍ତି ସହଯୋଗ କରନ୍ତୁ ଏବଂ ସେ ଯଦି ସହଯୋଗ ନକରିବେ ତେବେ କୋର୍ଟଙ୍କୁ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହାସହ ମାର୍ଚ୍ଚ ୫,୬,୭ ଓ ୧୨ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଯାଂଚରେ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କାର୍ତ୍ତି ଚିଦାମ୍ବରମଙ୍କ ବିରୋଧ ହୋଇଥିବା ମାମଲା ଗୁଡିକର ଯାଂଚ କରୁଛି ସିବିଆଇ ଓ ଇଡି । ଏଥିରେ ଆଇଏନଏକ୍ସ ମିଡିଆ ଓ ଏୟାରସେଲ ମାକ୍ସିସ ମାମଲା ଅନ୍ତର୍ଭୁକ୍ତ । ଗତ ବର୍ଷ କାର୍ତ୍ତି ଚିଦାମ୍ବରମଙ୍କ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା ସିବିଆଇ । ଗତବର୍ଷ ଫେବ୍ରୁଆରୀ ୨୮ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ପରେ ତାଙ୍କୁ ଜାମିନ ମିଳିଛି । ସିବିଆଇର ଏଫଆଇଆର ଆଧାରରେ ତାଙ୍କ ନାଁରେ ମନି ଲଣ୍ଡ୍ରିଂ ମାମଲା ଦାୟର କରିଛି ଇଡି । ଏଥିରେ ରହିଥିବା ଅଭିଯୋଗ ଅନୁଯାୟୀ ଆଇଏନଏକ୍ସ ମିଡିଆକୁ ୨୦୦୭ରେ ୩୦୫କୋଟି ଟଙ୍କା ବିଦେଶୀ ଧନ ଆଣିବା ପାଇଁ ଏଫଆଇପିବି ମଂଜୁରୀରେ ଅନିୟମିତତା ହୋଇଥିଲା । ଏହି ସମୟରେ କାର୍ତ୍ତି ଚିଦାମ୍ବରମଙ୍କ ବାପା ପି. ଚିଦାମ୍ବରମ ଅର୍ଥ ମନ୍ତ୍ରୀ ଥିଲେ ।