ଶିକ୍ଷକଙ୍କ ବଦଳି ଖବରକୁ ସହିପାରିଲେନି ଛାତ୍ରଛାତ୍ରୀ । ସାରଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ କୁନି କୁନି ପିଲା । ସୋସିଆଲ ମିଡିଆରେ ଘୁରୁବୁଲୁଛି ଭିଡିଓ ।

896

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଥିବା ଏକ ସ୍କୁଲର ଏକ ଭିଜୁଆଲ ସୋସିଆଲ ମିଡିଆରେ ଲୋକଙ୍କୁ ଭାବୁକ କରିପକାଉଛିି । ଚନ୍ଦୌଲିର କମ୍ପୋଜିଟ୍ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ।

କାରଣ ହେଉଛି ଏହି ସ୍କୁଲର ଶିକ୍ଷକ ଶିବେନ୍ଦ୍ର ସିଂହ ବଘେଲଙ୍କର ଆଉ ଏକ ସ୍କୁଲକୁ ଟ୍ରାନ୍ସଫର ହୋଇଯାଇଛି । କିନ୍ତୁ କୋମଳମତି ଛାତ୍ରଛାତ୍ରୀ ନିଜ ଶିକ୍ଷକଙ୍କୁ ଛାଡିବାକୁ ନାରାଜ । ପିଲାମାନଙ୍କ ଆଖିରୁ ବହିଯାଉଛି ଧାର ଧାର ଲୁହ । ଏହି ଲୁହ ଦେଉଛି ଶିକ୍ଷକଙ୍କ ନିଷ୍ଠା ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟବୋଧର ପ୍ରମାଣ ।

ଚନ୍ଦୌଲି ଜିଲ୍ଲା ଚକିଆ ସ୍ଥିତ କମ୍ପୋଜିଟ୍ ସ୍କୁଲରେ ୨୦୧୮ ଜୁଲ୍ଲାଇ ୧୨ ତାରିଖରେ ଯୋଗ ଦେଇଥିଲେ ଶିକ୍ଷକ ଶିବେନ୍ଦ୍ର ବଘେଲ । ଏବେ ୪ ବର୍ଷ ପରେ ତାଙ୍କର ଅନ୍ୟ ଏକ ସ୍କୁଲକୁ ବଦଳି ହୋଇଥିଲା । ଏକଥା ଶୁଣିବା ପରେ ପିଲାମାନେ କ୍ଲାସରୁମରୁ ବାହାରି ଆସିଥିଲେ । ଆଉ ପାଠପଢା ଛାଡି ବାହାରେ ବସି କାନ୍ଦିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ଶିକ୍ଷକଙ୍କୁ ବିଦାୟ ଦିଆଗଲା ସେତେବେଳେ ଏହି ପିଲାମାନଙ୍କ ଅବସ୍ଥା କହିଲେ ନସରେ । ଶିକ୍ଷକଙ୍କୁ ଛାଡିନଥିଲେ । ତାଙ୍କୁ ଘେରିଯାଇ, କେହି କେହି ତାଙ୍କୁ କୋଳେଇ ଧରି ଭୋ ଭୋ ହୋଇ କାନ୍ଦିଥିଲେ ।

ଶିବେନ୍ଦ୍ରଙ୍କ ପାଠପଢାରେ ଦଣ୍ଡ ଦେବାର ନାଁ ଗନ୍ଧ ନଥିଲା । ବରଂ ପାଠପଢା ସହ ପିଲାମାନଙ୍କ ସହ ଖେଳକୁଦ ଠାରୁ ଆରମ୍ଭ କରି ମଜା କରୁଥିଲେ ଶିବେନ୍ଦ୍ର ବଘେଲ । ତେଣୁ ନିଜ ପ୍ରିୟ ଶିକ୍ଷକଙ୍କୁ କେମିତି ବା ଛାଡନ୍ତେ । ୪ ବର୍ଷ ପରେ ଯିବାବେଳକୁ ଶିବେନ୍ଦ୍ର ସାରଙ୍କୁ ତାଙ୍କର ଉଚିତ୍ ପ୍ରାପ୍ୟ ମିଳିଯାଇଥିଲା । ଛାତ୍ରଛାତ୍ରୀଙ୍କର ଅହେତୁକ ଶ୍ରଦ୍ଧା ଥିଲା ଶିକ୍ଷକଙ୍କ ପାଇଁ ସବୁଠାରୁ ବଡ ଦରମା ଓ ଉପହାର ।

ଅତି ଜଟିଳ ବିଷୟକୁ ଅତି ସହଜ ଉପାୟରେ ପଢାଉଥିଲେ ଶିବେନ୍ଦ୍ର । ଯାହାକୁ ଚଟକରି ବୁଝିଯାଉଥିଲେ ଛାତ୍ରଛାତ୍ରୀ । ତାଙ୍କର ପାଠପଢା ତରିକା ସବୁଠୁ ଖାସ୍ ଥିଲା ବୋଲି କୁହନ୍ତି ଛୋଟ ଛୋଟ ପିଲା । ପ୍ରକୃତରେ ଛାତ୍ରୀଛାତ୍ରୀଙ୍କର ଏହି ବିକଳ କାନ୍ଦ ଆଜି ତାଙ୍କ ପରିଶ୍ରମକୁ ସଫଳ କରିଛି । ଗାଁ ଗହଳିର ଅତି ସାଧାରଣ ପରିବାରରୁ ଆସିଥିବା ଏହି କୁନି ପିଲାମାନେ କେବଳ ଏତିକି ଚାହୁଁଥିଲେ ତାଙ୍କ ସାର୍ ତାଙ୍କୁ ଛାଡି କୁଆଡେ ନଯାଆନ୍ତୁ । ପିଲାମାନଙ୍କ କାନ୍ଦ ଭିତରେ ଯେମିତି ନିରୁପାୟ ହୋଇଯାଉଥିଲେ ଶିକ୍ଷକ ଆଉ କେବଳ ଏତିକି କହୁଥିଲେ ‘ ମନ ଲଗେଇ ପାଠ ପଢିବ । ମୁଁ ତୁମମାନଙ୍କୁ ଦେଖିବାକୁ ପୁଣି ଆସିବି’ । ହେଲେ ଯିବା ଆସିବା ତ ଲାଗି ରହିଛି । ନିୟମ ଆଗରେ କାହାର ଚଳେ ।

ଆଜିକାଲି ଶିକ୍ଷା ବ୍ୟବସ୍ଥା ଅନେକାଂଶରେ ବ୍ୟବସାୟରେ ପରିଣତ ହୋଇଥିବାବେଳେ ଚନ୍ଦୌଲିରେ ଶିକ୍ଷକଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କର ଏଭଳି ଭାବାବେଗ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଛି । ଚନ୍ଦୌଲିର ଏହି ଭିଜୁଆଲ ପ୍ରମାଣିତ କରୁଛି , ଆମ ସମାଜ ଯେତେ ଆଧୁନିକତାର ଧୁନରେ ମଜିଯାଉ ପଛେ ହେଲେ ପ୍ରତିଟି ଜୀବନରେ ଜଣେ ଗୁରୁଙ୍କ ସ୍ଥାନ ଅତୁଳନୀୟ । ଗ୍ରାମାଞ୍ଚଳରେ ଥିବା ଏହି ସ୍କୁଲର ଛାତ୍ରଛାତ୍ରୀ ଗୁରୁ ଶିଷ୍ୟ ପରମ୍ପରାକୁ ଯେତିକି ବୁଝିପାରିଛନ୍ତି ଏହି ଭାବନାକୁ ପ୍ରତିଟି ଛାତ୍ରଛାତ୍ରୀଙ୍କୁ ହୃଦବୋଧ ସବୁଠୁ ବଡ ଦାୟତ୍ୱ ।