ଛାତ୍ର ସଂସଦ ନିର୍ବାଚନ ପାଇଁ ନାଁ ଭରିଲେ ପ୍ରାର୍ଥୀ । ଶେଷ ହେଲା ପ୍ରାର୍ଥୀପତ୍ର ଦାଖଲ । ଅନ୍ୟପଟେ ବିଭିନ୍ନ କଲେଜରେ ନିର୍ବାଚନ ବାତିଲକୁ ନେଇ ପ୍ରାକ୍ ନିର୍ବାଚନୀ ହିଂସା ।

37

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କଲେଜ କ୍ୟାମ୍ପସ । ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଜା ବାଣ ଓ ନାଚଗୀତ ତାଳେ ତାଳେ ନିଜର ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଭୁବନେଶ୍ୱରର ବିଜେବି କଲେଜ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ସଭାପତି ପଦବୀ ପାଇଁ ୬ ଜଣ ପ୍ରତିଯୋଗୀ ରହିଥିବା ବେଳେ ଉପସଭାପତି ପଦବୀ ପାଇଁ ୨ ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ୪ ଜଣ ପ୍ରତିଯୋଗୀ ରହିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ମୋଟ୍ ୧୧ ମହାବିଦ୍ୟାଳୟରେ ଚଳିତ ବର୍ଷ ନିର୍ବାଚନ କରାଯାଉଛି । ଜଗତସିଂହପୁର ସହର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସଭାପତି, ସାଧାରଣ ସଂପାଦକ ପଦବୀ ପାଇଁ ୨୦ ଜଣରୁ ଅଧିକ ପ୍ରାର୍ଥୀ ନାମଙ୍କନ ପତ୍ର ଦାଖଲ କରିଛନ୍ତି ।

college election in odishaଅନ୍ୟପଟେ ବିଭିନ୍ନ କଲେଜରେ ଦେଖିବାକୁ ମିଳିଛି ପ୍ରାକ୍ ନିର୍ବାଚନୀ ହିଂସା । ଯାଜପୁରର ନରସିଂହ ଚୌଧୁରୀ କଲେଜ, ସୋର ଅନନ୍ତପୁରରେ ଥିବା ସାରସ୍ୱତ ମହାବିଦ୍ୟାଳୟରେ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଏନସି କଲେଜରେ ଦୁଇଟି ବୋମାମାଡ ହୋଇଥିବାବେଳେ ସୋର ସାରସ୍ୱତ ମହାବିଦ୍ୟାଳୟରେ ୫ରୁ ଅଧିକ ବୋମାମାଡ ହୋଇଛି । ଏହାକୁ ନେଇ କଲେଜ ପରିସରରେ ଚାପା ଉତେଜନା ଲାଗି ରହିଛି ।