ଜିଦରେ ଅଟଳ ଚାଷୀ, ଧାରଣା ଜାରି। ‘ଖାତାକୁ ଟଙ୍କା ନଆସିବା ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ’

102

କନକ ବ୍ୟୁରୋ: ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ବି, ମରୁଡି ସହାୟତା ଓ ଫସଲ ବୀମା ଦାବିରେ ପଦ୍ମପୁରରେ ଆନ୍ଦୋଳନ ଚଳାଇଥିବା ଚାଷୀ, ପଛକୁ ହଟି ନାହାଁନ୍ତି । ବ୍ୟାଙ୍କ ଖାତାକୁ ସହାୟତା ଟଙ୍କା ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ନିଷ୍ପତି ଅନୁସାରେ ଧାରଣାରେ ବସିଛନ୍ତି ଚାଷୀ ସଂଗଠନର ସଦସ୍ୟ । ଚାଷୀ ସଙ୍ଗଠନର ଯୁକ୍ତି ହେଉଛି,ମରୁଡି କ୍ଷୟକ୍ଷତି, ଫସଲ ବୀମାରାଶି, ଇନପୁଟ ସବସିଡି ଦାବିରେ ୧୩ ମାସ ହେଲା ଆନ୍ଦୋଳନ କରୁଛନ୍ତି । ଚାଷୀ ସଂଗଠନର ଭୋଟବର୍ଜନ ଧମକ ପରେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ଷତିପୂରଣ ଓ ବୀମାରାଶି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଚାଷୀଙ୍କ ଖାତାକୁ ଟଙ୍କା ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ।

ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନ, ଭୁବନେଶ୍ୱରରେ ରାଜନୀତିର ରୂପ ନେଇଛି । ଗତ ଦୁଇ ଦିନ ହେଲା ବିଜେଡି ବିଜେପି ମଧ୍ୟରେ ଚାଷୀ ପ୍ରସଙ୍ଗକୁ ନେଇ ବୟାନବାଜି ଚାଲିଥିବାବେଳେ ଏବେ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ଲୋୟର-ପିଏମଜିରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ ଆରମ୍ଭ କରିଛି । ବିଜେପିର ଅଭିଯୋଗ , ସଂଖ୍ୟା ଓ ବୃତ୍ତି ଦୃଷ୍ଟିରୁ ଓଡିଶାରେ ସବୁଠାରୁ ବଡ ବର୍ଗ ହେଉଛନ୍ତି ଚାଷୀ । କିନ୍ତୁ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁଁ ଏଠାରେ ଚାଷୀ ଅବହେଳିତ । ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ଏହା ପଲିଟିକାଲ ଷ୍ଟଂଟ ବୋଲି କହିଛି ବିଜେଡି ।

ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ, କ୍ଷତିପୂରଣ ନମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ ଚାଷୀ ସଂଗଠନ । ଚାଷୀ ଆନ୍ଦୋଳନ ତେଜୁଥିବାବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଇନପୁଟ ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ଫସଲ ବୀମା ଟଙ୍କା ଦେବାକୁ ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । କିନ୍ତୁ ଏବେ ପଦ୍ମପୁରରେ ଆଚରଣ ବିଧି ଲାଗୁ ହୋଇଥିବାରୁ ବରଗଡ ଜିଲ୍ଲାର ଚାଷୀଙ୍କୁ କୌଣସି ଟଙ୍କା ମିଳିବ ନାହିଁ ।