କାଳିଆ ଠାକୁରଙ୍କ ଶ୍ରୀମନ୍ଦିର ନାଁରେ କେତେ ସମ୍ପତ୍ତି? ପଢନ୍ତୁ …

250

କନକ ବ୍ୟୁରୋ: ଓଡିଆ ଜାତିର ମଉଡମଣି କାଳିଆ ଠାକୁରଙ୍କ ଶ୍ରୀମନ୍ଦିର ନାଁରେ କେତେ ସମ୍ପତ୍ତି ରହିଛି, ଏହାକୁ ନେଇ ଲୋକଙ୍କ ଭିତରେ ଉକ୍ରଣ୍ଠା ଲାଗିରହିଥିବାବେଳେ କନକ ନ୍ୟୁଜକୁ ହାତରେ ଲାଗିଛି ସମ୍ପତିର ତଥ୍ୟ । ସୂଚନା ଅନୁସାରେ ଶ୍ରୀମନ୍ଦିର ସମ୍ପତିର ମୂଲ୍ୟ ୧୨ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ନଜର ପକାନ୍ତୁ ଶ୍ରୀମନ୍ଦିର ସମ୍ପତ୍ତି ତାଲିକା ଉପରେ..

– ଶ୍ରୀମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨ହଜାର କୋଟି ଆକଳନ
– ରତ୍ନଭଣ୍ଡାରରେ ଅଳଙ୍କାର ବ୍ୟତୀତ ପ୍ରଶାସନର କର୍ପସ ଫଣ୍ଡରେ ରହିଛି ୩୯୨ କୋଟି
– ଫାଉଣ୍ଡେସନ ଫଣ୍ଡରେ ୧୨୨ କୋଟି ଓ ମନ୍ଦିର ଫଣ୍ଡରେ ୨୪୨ କୋଟି ଟଙ୍କା ଆକଳନ
– ୬୦ହଜାର ଏକର ଜମି ମଧ୍ୟରେ ରେକର୍ଡ ଆଧାରରେ ରହିଛି ୩୫ହଜାର ଏକର ଜମି
– ବିଭିନ୍ନ ଜିଲ୍ଲାରେ ୧ହଜାର ଏକର ଭୁସମ୍ପତ୍ତି

ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ୟ ମନ୍ଦିର ତୁଳନାରେ ବର୍ଷତମାମ ଶ୍ରୀମନ୍ଦିରକୁ ତିନିଗୁଣା ଭକ୍ତ ଆସିିଥାନ୍ତି । କିନ୍ତୁ ଭକ୍ତ ଆସୁଥିଲେ ବି ବଢ଼ୁ ନାହିଁ ଦାନ ଅର୍ଥ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେହିପରି ୨୦୧୮ରେ ଶ୍ରୀମନ୍ଦିର ହୁଣ୍ଡିରୁ ଗାଏବ ହୋଇଯାଇଥିବା ସାଢ଼େ ୩କିଲେ ଓଜନର ସୁନା ମାମଲା କୋର୍ଟରେ ବିଚାରାଧୀନ ରହିଛି । ସୁନା କୁଆଡେ ଗଲା ଜଣା ନାହିଁ । ତେଣୁ ଶ୍ରୀମନ୍ଦିର ସମ୍ପତି ଅନ୍ୟ ମନ୍ଦିର ଭଳି ନବଢ଼ିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ନିକଟରେ ବିଶ୍ୱପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଇଥିଲା । ତଥ୍ୟ ଅନୁସାରେ ତିରୁପତିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଅଢ଼େଇ ଲକ୍ଷ କୋଟି ଟଙ୍କା । ଯେଉଁଥିରେ ରହିଛି ମନ୍ଦିରର ୧୦.୨୫ ଟନ୍ ସୁନା । ୧୬ ହଜାର କୋଟି ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ । ଦେଶର ବିଭିନ୍ନ ସ୍ଥାନରେ ୯୬୦ ଏକର ସମ୍ପତ୍ତି । ଯାହା,ୱିପ୍ରୋ, ଓଏନଜିସି, ଇଣ୍ଡିଆନ୍ ଅଏଲ୍, ନେସ୍୍ଲେ ଇଣ୍ଡିଆ ଭଳି ବଡ଼ ବଡ଼ କଂପାନୀର ସମ୍ପତ୍ତିଠାରୁ ଅଧିକ । କିନ୍ତୁ ଶ୍ରୀମନ୍ଦିରର ସମ୍ପତି ସେହି ଅନୁସାରେ ବଢ଼ି ନାହିଁ ।