ବାବୁ ! ଡଙ୍ଗା ନିଅ, ତମେ ଡଙ୍ଗା କିଣିଲେ ଆମ ପରିବାର ଚଳିବ । ଆମ ପାଠପଢା ଖର୍ଚ୍ଚ ହେବ । ଚିତ୍ର ବଖାଣୁଛି ଗରିବୀର କାହାଣୀ…

191

କନକ ବ୍ୟୁରୋ: ବାପା ଝାଲମୁଢି ବିକୁଛନ୍ତି, ଘର ଚଳାଉଛନ୍ତି । ପିଲା ଛୁଆଙ୍କ ପଢା ଖର୍ଚ୍ଚ ବି ବହନ କରୁଛନ୍ତି । ଆଉ ଏସବୁରେ ବାପାଙ୍କୁ ଟିକେ ସାହାଯ୍ୟ କରିବାକୁ ଡଙ୍ଗା ନେଇ ବଜାରରେ ବିକୁଛନ୍ତି ଦୁଇ ଭଉଣୀ । ଡଙ୍ଗା ବିକିଲେ ବା କେତେ ଟଙ୍କା ହେବ ? ତଥାପି ଯାହାବି ମିଳିବ ସେତିକିରେ ବାପାଙ୍କ କାନ୍ଧର ବୋଝ ତ ଟିକେ ହାଲକା ହେବ । ଅନ୍ତତ ସେମାନେ ସେମାନଙ୍କ ନିଜ ଖର୍ଚ୍ଚ ତ ଉଠାଇପାରିବେ । ଏଇ କଥା ଭାବି ଡଙ୍ଗା ବିକୁଛନ୍ତି ଦୁଇ କୁନି ଝିଅ ।

ଗରିବ ଘରର ପିଲାମାନେ ଜାଣନ୍ତି ସେମାନଙ୍କ ବାପା କେତେ କଷ୍ଟରେ ପରିବାର ଚଳାନ୍ତି, ବାପାମାଆ ପିଲାଙ୍କୁ ଖୁଆଇ କେତେ ଉପାସ ରୁହନ୍ତି । ସେମାନେ ବି ଭଲରେ ଜାଣନ୍ତି ବାପାଙ୍କ ପାଖରେ ନିଜ ଜାମାପଟା, ଖୁସିହାସି ପାଇଁ ଯେଉଁ ଅଳି ଅଝଟ କରାଯାଏ ତାହା କେତେ ଡେରିରେ ପୂରଣ ହୁଏ ତାଙ୍କ ପରିବାରର ଅଭାବ ପାଇଁ । ଆଉ ସେ ଅଭାବକୁ ଟିକେ କମେଇବାକୁ ବୟସ ହୋଇନଥିଲେ ବି ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାରକୁ ସାହାଯ୍ୟ କରିବାକୁ ଏ କୁନି ପାଦ ଘରୁ ବାହାରିଛି । ଆଉ ଏ ଡଙ୍ଗା ବିକା ପଇସାରେ ତା ଘରର ସବୁ ଅଭାବକୁ ସେ ଦୂରେଇ ଦେବାର ଆଶା ଜୁଟାଇଛି ଯାହା ଏ ଝିଅର ଛଳଛଳ ଆଖିର ଢଳଢଳ ଜକେଇ ଆସିଥିବା ଲୁହ ଲେଖି ଦେଉଛି ।

ଗାଁ ଗହଳିରେ ପିଲାବେଳେ ଡଙ୍ଗା ତିଆରି ବିକିବାର ସଉକ ସମସ୍ତଙ୍କର ଥାଏ । ଆପଣ ହୁଅନ୍ତୁ କି ମୁଁ ଯେଉଁମାନେ ଗାଁରୁ ଆସିଥିବେ ସେମାନେ ଡଙ୍ଗା ତିଆରି କରି ବଜାରରେ ବିକ୍ରି କରିବାର ମଜା ନେଇଥିବେ । କିନ୍ତୁ ସହର ମଝିରେ, ରାସ୍ତା କଡରେ ବସି ଡଙ୍ଗା ବିକୁଥିବା ଏ ପିଲାମାନେ ସଉକ ପାଇଁ ନୁହେଁ ବରଂ ସମସ୍ୟା ପାଇଁ ଅଭାବ ପାଇଁ ଡଙ୍ଗା ବିକୁଛନ୍ତି ।

କାହା ବାପା ଟ୍ରଲି ଟାଣି ପରିବାର ଚଳାଉଛନ୍ତି ତ ଆଉ କାହା ବାପା ଠେଲା ଲଗାଇ ସେମାନଙ୍କ ଘର ଚଳାଉଛନ୍ତି । ଅଭାବର ଏରୁଣ୍ଡି ବନ୍ଧ ଭିତରେ ପରିବାରର ଅସହାୟତା ଦେଖିଥିବା ପିଲାଏ ଆବଶ୍ୟକତା ପୂରଣ ପାଇଁ ଭଳି କି ଭଳି ଡଙ୍ଗା ବିକ୍ରି କରୁଛନ୍ତି । ଲୋକେ ବି ସେମାନଙ୍କ ଠାରୁ ବୋଇତ କିଣୁଛନ୍ତି ହେଲେ ସେମାନଙ୍କ ଡଙ୍ଗା ବିକ୍ରି ପଛର ବେଦନାକୁ ବୁଝିପାରୁ ନାହାନ୍ତି । ପାଣିରେ ଡଙ୍ଗା ଭାସି ଯିବା ପରି ଏ କୋମଳମତି ଶିଶୁମାନଙ୍କ କଷ୍ଟ ସମୟର ସ୍ରୋତରେ ଭାସିଯାଉ । ଆଉ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ।