ଭାରତ-ପାକିସ୍ତାନ ଟିମର ଭାଗବଣ୍ଟା କାହାଣୀ । ଯେବେ ଦୁଇ ଭାଗ ହେଇଥିଲା ଭାରତ-ପାକିସ୍ତାନ ଟିମ୍ । ଭାରତ ବଦଳରେ ପାକିସ୍ତାନ ପଟରୁ ଖେଳିଥିଲେ ୩ ଖେଳାଳି

123

କନକ ବ୍ୟୁରୋ: ବର୍ଷ ଥିଲା ୧୯୪୭ ମସିହା…ଆଉ ସମୟ ଥିଲା ଦେଶ ବିଭାଜନ ସମୟର । ୧୯୪୭ ମସିହାରେ ଭାରତ ଆଉ ପାକିସ୍ତାନ ଅଲଗା ଅଲଗା ହେଇ ସ୍ୱାଧୀନ ଦେଶର ମାନ୍ୟତା ପାଇଥିଲେ । ଆଉ ନୂଆ ଦେଶ ଭାବେ ପରିଚିତ ହେଇଥିଲେ । ତେବେ ଦେଶ ବିଭାଜନ ହେବା ସହିତ ଭାରତର ହକି ଆଉ କ୍ରିକେଟ୍ ଟିମ ବି ଭାଙ୍ଗି ଦୁଇ ଭାଗ ହେଇଯାଇଥିଲା । ଆଉ ଗଢା ହେଇଥିଲା ନୂଆ ଟିମ୍ ପାକିସ୍ତାନ ।

ତେବେ ସେହି ସମୟର ଏପରି ଏକ ରୋଚକ କଥା ଆଜି ଆମେ ଆପଣଙ୍କୁ କହିବୁ । ଯାହା ଆପଣ କେବେ ବି କେଉଁଠି ଶୁଣିନଥିବେ । ଯେବେ ଭାରତ ବିଭାଜିତ ହେଇ ପାକିସ୍ତାନ କ୍ରିକେଟ୍ ଟିମ୍ ଗଢା ହେଇଥିଲା । ସେତେବେଳେ କ୍ରିକେଟରମାନଙ୍କର ବି ଭାଗବଂଟା କରାଯାଇଥିଲା । ଆଉ ଏହି ସମୟରେ ୩ ଜଣ ଖେଳାଳି ପାକିସ୍ତାନ ପଟରୁ କ୍ରିକେଟ୍ ଖେଳିବାକୁ ଇଚ୍ଛା କରିଥିଲେ ।

ଅଲରାଉଣ୍ଡର ଅବଦୁଲ ହଫିଜ୍ କାରଦାର, ଦ୍ରୁତ ବୋଲର ଗୁଲ ମହମ୍ମଦ । ଆଉ ମିଡିିୟମ୍ ପେସର ଆମିର ଇଲାହୀ । ଏହି ୩ ଜଣ କ୍ରିକେଟର ହିଁ ଦେଶ ବିଭାଜନ ସମୟରେ ଭାରତ ବଦଳରେ ପାକିସ୍ତାନ ପଟରୁ କ୍ରିକେଟ୍ ଖେଳିବାକୁ ଇଚ୍ଛା କରିଥିଲେ । ଆଉ ଭାରତ ଛାଡି ପାକିସ୍ତାନ କ୍ରିକେଟ୍ ଟିମରେ ଯୋଗ ଦେଇଥିଲେ ।

ସ୍ୱାଧୀନତା ସମୟରେ ଭାରତରେ କ୍ରିକେଟ୍ ସେତେଟା ଲୋକପ୍ରିୟ ନଥିଲା । ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତୁଥିବା ହକି ଟିମର ସେତେବେଳେ ଦେଶରେ ଦବଦବା ଥିଲା । ଆଉ ଦେଶ ସ୍ୱାଧୀନ ହେବା ପରେ ହକି ଟିମ ମଧ୍ୟ ଦୁଇ ଭାଗ ହେଇଥିଲା । ତେବେ ମଜାଦାର କଥା ହେଉଛି – ଭାରତର କ୍ରିକେଟ ଟିମ ଦୁଇ ଭାଗ ହେବା ପରେ ନୂଆ କରି ପାକିସ୍ତାନ ଟିମ୍ ଗଢା ହେଇଥିଲା । ଆଉ ପାକିସ୍ତାନ ତାର ପ୍ରଥମ ମ୍ୟାଚ୍ ମଧ୍ୟ ଭାରତ ବିପକ୍ଷରେ ଖେଳିଥିଲା ।

୧୯୫୨ ମସିହାରେ ପାକିସ୍ତାନ କ୍ରିକେଟ୍ ଟିମ୍ ପ୍ରଥମ କରି ମ୍ୟାଚ୍ ଖେଳିଥିଲା । ଯାହାକି ଥିଲା ଭାରତ ବିପକ୍ଷରେ । ଏହି ସିରିଜରେ ଦୁଇ ଦେଶ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଆଉ ପାକିସ୍ତାନ ଟିମର ଯେଉଁ ଖେଳାଳି ଅଧିନାୟକ ଥିଲେ, ସେ ଭାରତ ପାଇଁ ମଧ୍ୟ ପୂର୍ବରୁ ମ୍ୟାଚ୍ ଖେଳିସାରିଥିଲେ । ତେବେ ଭାରତ-ପାକିସ୍ତାନ ପ୍ରଥମ ସିରିଜରେ ଟିମ୍ ଇଣ୍ଡିଆ ବାଜି ମାରି ନେଇଥିଲା । ପାକିସ୍ତାନକୁ ହରେଇ ଦଳ ୨-୧ରେ ଟେଷ୍ଟ ସିରିଜ୍ ଜିତିବା ସହିତ ପାକିସ୍ତାନକୁ କ୍ରିକେଟରେ ପ୍ରଥମ କରି ଧୂଳି ଚଟେଇ ଥିଲା ।

ପାକିସ୍ତାନ ଟିମ୍ ଯେବେ ଗଢା ହେଇଥିଲା । ସେତେବେଳେ ତାର ୧୨ ଜଣ ଖେଳାଳି ପୂରା ପୂରି ନୂଆ ଥିଲେ । ଯେଉଁମାନେ ପ୍ରଥମ କରି ଇଂଟରନ୍ୟାସନାଲ ମ୍ୟାଚ୍ ଖେଳୁଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣ ଖେଳାଳି, ଯେଉଁମାନେ ଭାରତ ଛାଡି ପାକିସ୍ତାନ ଟିମକୁ ଯାଇଥିଲେ, ସେମାନେ ପାକିସ୍ତାନ ଟିମର ପ୍ଲେୟାର ହେଇଥିଲେ । ଆଉ କିଛି ଏହିପରି ଭାବେ ଗଢା ହେଇଥିଲା ପାକିସ୍ତାନ ଟିମ୍ । ଆଉ ଖେଳା ଯାଇଥିଲା ଭାରତ-ପାକିସ୍ତାନ ପ୍ରଥମ କ୍ରିକେଟ୍ ସିରିଜ୍ ।