ପୁଣି ଆଧାରର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ? କଂଟାକ୍ଟ ଲିଷ୍ଟରେ ଛାଁକୁ ଛାଁ ସେଭ ହୋଇଯାଉଛି ଆଧାର ନମ୍ବର । ଲୋକେ ଦେଖି ଆଶ୍ଚର୍ଯ୍ୟ, ୟୁଆଇଡିଏଆଇ କହିଲା, ଆମେ କରିନୁ

32

ଭାରତର ହଜାର ହଜାର ସ୍ମାର୍ଟଫୋନ ୟୁଜର୍ସ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ତାଙ୍କ ଫୋନବୁକରେ ଆପଣାଛାଏଁ ୟୁଆଇଡିଏଆଇର ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ନଜର ଆସିଥିଲା । ହେଲେ ସେମାନଙ୍କ ପାଇଁ ବିଶ୍ୱାସ କରିବା ମୁସ୍କିଲ ହୋଇପଡିଥିଲା କି, ବିନା ସେଭରେ ସେମାନଙ୍କ ଫୋନବୁକ ତଥା କଂଟାକ୍ଟ ଲିଷ୍ଟରେ ୟୁଆଇଡିଏଆଇର ହେଲ୍ପଲାଇନ ନମ୍ବର ଆସିଲା ବା କେଉଁଠି? ଯାହାକି ପୁଣି ଥରେ ଆଧାରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛି ।ସେପଟେ ଆଧାର ଅଥରିଟି ୟୁଆଇଡିଏଆଇ କହିଛି କି, ସେମାନେ ସର୍ଭିସ ଅପରେଟର୍ସଙ୍କୁ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । ଏଥିସହିତ ହିଁ ୟୁଆଇଡିଏଆଇ ସ୍ପଷ୍ଟ କରିଛି କି, ୧୮୦୦-୩୦୦-୧୯୪୭ ତାଙ୍କ ହେଲ୍ପଲାଇନ ନମ୍ବର ହିଁ ନୁହେଁ । ବରଂ ୧୯୪୭ ତାଙ୍କର ଟୋଲ ଫ୍ରି ନମ୍ବର ।

ଏଠାରେ ଆମେ କହି ରଖୁଛୁ କି, ୟୁଆଇଡିଏଆଇ ନିଜ ହେଲ୍ପଲାଇନ ନମ୍ବରକୁ ବଦଳାଇ ୧୮୦୦-୩୦୦-୧୯୪୭ କରିଦେଇଛି । ଯାହାକି ଏବେ ୟୁଜର୍ସଙ୍କ ବିନା ସହମତିରେ ସେମାନଙ୍କ ଫୋନବୁକରେ ସେଭ ହୋଇଯାଇଛି । ଜଣେ ୟୁଜର୍ସ ଫୋନବୁକର ସ୍କ୍ରିନସର୍ଟ ନେବା ପାଇଁ ଟୁଇଟ କରି କହିଛନ୍ତି କି, ‘ଏ କୌଣସି ମଜାକ୍ ନୁହେଁ, କାହିଁକି ନା ଏହା ମୋର ଫୋନରେ ବି ହୋଇଛି । ମୁଁ ଏହି ନମ୍ବରକୁ ସେଭ କରି ନାହିଁ । ଆପଣ ମଧ୍ୟ ଶୀଘ୍ର ନିଜ ଫୋନ ଚେକ୍ କରନ୍ତୁ ।’

ଫ୍ରାନ୍ସିସ ସୁରକ୍ଷା ବିଶେଷଜ୍ଞ ଇଲିୟଟ ଏଲ୍ଡର୍ସନ ଟୁଇଟରେ ୟୁଆଇଡିଏଆଇକୁ ପ୍ରଶ୍ନ କରିଛନ୍ତି କି, ଅନେକ ଲୋକ, ଯିଏ କି ଅଲଗା ଅଲଗା ସର୍ଭିସ ପ୍ରୋଭାଇଡରର ବ୍ୟବହାର କରୁଛନ୍ତି, ଯେଉଁମାନଙ୍କ ନିକଟରେ ଆଧାର କାର୍ଡ ରହିଛି ଏବଂ ଯେଉଁମାନଙ୍କ ପାଖରେ ନାହିଁ , ଆଧାର ଆପ ଇନଷ୍ଟଲ ହେବା ଏବଂ ନ ହେବା କିଛି ମାଇନେ ରଖୁନି ହେଲେ ସମସ୍ତେ ଧ୍ୟାନ ଦେଇଛନ୍ତି କି ଆପଣଙ୍କର ଫୋନ ନମ୍ବର ଡିଫଲ୍ଟ ରୂପରେ ତାଙ୍କ କଂଟାକ୍ଟ ଲିଷ୍ଟରେ ପୁର୍ବନିର୍ଧାରିତ ରହିଛି, ସେ ବି ପୁଣି ସେମାନଙ୍କ ଅଜାଣତରେ । କଣ ଆପଣ କହିପାରିବେ କି କାହିଁକି ?

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇର ଚେୟାନମ୍ୟାନ ଆରଏସ ଶର୍ମାଙ୍କ ହ୍ୟାକରଙ୍କୁ ଚ୍ୟାଲେଂଜ ମୂଳକ ଟୁଇଟ ଏବଂ ତାର ରିଆକ୍ସନ କଣ ରହିଥିଲା, ତାହା କାହାକୁ ଅଛପା ନାହିଁ । ଏସବୁ ମଧ୍ୟରେ ଏବେ ଟୁଇଟରରେ ଆଉ ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ଆଧାର ନମ୍ବର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରେନାହିଁ ବୋଲି ଦାବି କରିଆସୁଥିବା ଟେଲିକମ ନିୟାମକ କର୍ତୃପକ୍ଷ- ‘ଟ୍ରାଇ’ର ଅଧ୍ୟକ୍ଷ ଆର.ଏସ. ଶର୍ମାଙ୍କ ବ୍ୟକ୍ତିଗତ ତଥ୍ୟ ସାର୍ବଜନିନ କରିଦିଆଯାଇଥିଲା । ଜୁଲାଇ ୨୮ ତାରିଖରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ୧୨ ନମ୍ବର ବିଶିଷ୍ଟ ଆଧାର ନମ୍ବରକୁ ଅପଲୋଡ କରି, କେହି ତାଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ ଟ୍ରାଇ ଅଧ୍ୟକ୍ଷ । ଶର୍ମା ଲେଖିଥିଲେ- ‘ମୋର ଆଧାର ନମ୍ବର ହେଉଛି- ୭୬୨୧୭୭୬୮୨୭୪୦ । ଏବେ ମୁ ତୁମକୁ ଚ୍ୟାଲେଞ୍ଜ ଦେଉଛି, ତୁମେ ମୋର କ’ଣ କ୍ଷତି କରିପାରିବ କରି ଦେଖାଅ ।’

ଏହାପରେ ହ୍ୟାକର ତାଙ୍କର ଆଧାର ନମ୍ବରରୁ ପେମେଂଟ ଆପ୍ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଂଟରେ ଏକ ଟଙ୍କା ଜମା କରିଥିବା ଦାବି କରି ରସିଦକୁ ଟ୍ୱିଟ୍ କରିଥିଲେ । ଆନିଭର ନାମକ ଜଣେ ବ୍ୟକ୍ତି ଟ୍ରାଇ ଅଧ୍ୟକ୍ଷ ଆର.ଏସ. ଶର୍ମାଙ୍କ ଆଧାର ତଥ୍ୟ ଜରିଆରେ ତାଙ୍କ ବ୍ୟାଙ୍କ ଆକାଉଂଟରେ ୧ଟଙ୍କା ଜମା କରିଥିଲେ । ଆଉ ଲେଖିଥିଲେ – ‘ଭୀମ ଆପ ଜରିଆରେ ମୁଁ ଆର.ଏସ. ଶର୍ମାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ଟଙ୍କା ଦାନ ଦେଲି । ଏବଂ ବ୍ୟବହାରକାରୀଙ୍କ ଗୋପନୀୟତାର ସୁରକ୍ଷା ପାଇଁ ସରକାର ଅଧିକ ଜ୍ଞାନକୌଶଳ ଲଗାଇବାକୁ ମୋର ଅନୁରୋଧ ।’