ସହିଦଙ୍କ ପରିବାର ପ୍ରତି ବଢୁଛି ସହାୟତାର ହାତ । ସୁରାଟର ଜଣେ ହୀରା ବ୍ୟବସାୟୀ ଝିଅର ବିବାହ ରିସେପ୍ସନ ରଦ୍ଦ କରି ଦାନ କରିଦେଲେ ଟଙ୍କା

424

ପୁଲୱାମା ହମଲାରେ ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲ । ଭାରତ୍ କେ ବୀର ନାଁରେ ଏକ ୱେବ ସାଇଟ୍ ଜରିଆରେ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର । ଏହା ଏକ ଟ୍ରଷ୍ଟ ଭଳି କାମ କରୁଛି, ଦେଶର ଯେକୌଣସି ବ୍ୟକ୍ତି ଚାହିଁଲେ ଏହି  ୱେବସାଇଟ୍ ଜରିଆରେ ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା କରିପାରିବେ । ଏହି ଦାନ ଉପରେ ଆୟକର ପଡିବ ନାହିଁ । ସହିଦ ବୀର ଯବାନଙ୍କୁ ରାଜ୍ୟ ସରକାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଥିବା ବେଳେ ଅଭିନେତା, ଖେଳାଳି, ଆଇପିଏସ ସଂଘ, ରିଲାଏନ୍ସ  ଫାଉଣ୍ଡେସନ ଓ ମୁଷ୍ଟିଯୋଦ୍ଧା ବିରେନ୍ଦର ସିଂହ ସହାୟତାର ହାତ ବଢାଇଛନ୍ତି ।

ପ୍ରତ୍ୟେକ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରିବେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ । ଅମିତାଭ ଘଟଣାକୁ ନେଇ ମର୍ମାହତ ହେବା ସହ ସହିଦଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଓଡିଆ ଯବାନଙ୍କ ପରିବାରଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ସେପଟେ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ମଧ୍ୟ ସହିଦ ପରିବାରଙ୍କ ସହାୟତା ପାଇଁ ହାତ ବଢାଇଛନ୍ତି । ସେ ସହିଦ ସିଆରପିଏଫ ଯବାନଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଛନ୍ତି । ସେହୱାଗ ଇଂଟନ୍ୟାସନାଲ ସ୍କୁଲ ଜରିଆରେ ସହିଦ ପରିବାରର ପିଲାଙ୍କୁ ମାଗଣା ପାଠ ପଢିବାର ସୁଯୋଗ ଦେବେ ସେ ଟ୍ୱିଟ୍ କରି ଜଣାଇଛନ୍ତି ।

ରାଜ୍ୟ ଆଇପିଏସ ସଂଘ ମଧ୍ୟ ଗୋଟିଏ ଦିନର ଦରମା ପ୍ରଦାନ କରିବାକୁ ଘୋଷଣା କରିଛି । ସେପଟେ ଆଉଜଣେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇ ସହାୟତା ହାତ ବଢାଇଛନ୍ତି ।

ଶିଳ୍ପପତି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ  ଫାଉଣ୍ଡେସନ ସହିଦ୍ ଯବାନଙ୍କ ପରିବାର ପ୍ରତି ସମ୍ବେଦନଶୀଳ ହୋଇଛି । ସହିଦଙ୍କ ପିଲାଙ୍କ ପାଠ ପଢା ଖର୍ଚ ବହନ କରିବା ସହ ରୋଜଗାର ଯୋଗଇ ଦେବା ପାଇଁ ଘୋଷଣା କରିଛି ରିଲାଏନ୍ସ  ଫାଉଣ୍ଡେସନ ।

ସେହିପରି ସୁରାଟର ଜଣେ ହୀରା ବ୍ୟବସାୟୀ ପୁଲଓାମା ଆତଙ୍କୀ ହମଲାରେ ସହିଦ ଯବାନଙ୍କ ପରିବାରକୁ ସହାୟତା ପାଇଁ ଆଗେଇ ଆସିଛନ୍ତି । ସୁରାଟର ସେଠ୍ ଦେୱସି ମାଣେକ ପରିବାର (ପଦ୍ମାବତୀ ଡାଇମଣ୍ଡ)ର ଝିଅ ଅମିଙ୍କର ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା । ତେବେ ସେ ଝିଅର ବିବାହରେ ହେବାକୁ ଥିବା ରିସେପ୍ସନ ପାର୍ଟିକୁ ରଦ୍ଦ କରିଦେଇଥିଲେ ଏବଂ ଏଥିରେ ଖର୍ଚ୍ଚ ପାଇଁ ଥିବା ଟଙ୍କା ତଥା ୧୧ ଲକ୍ଷ ଟଙ୍କା ସହିଦ ପରିବାରଙ୍କୁ ଦାନ କରିଦେଇଛନ୍ତି ।