ରେଳ ମନ୍ତ୍ରାଳୟର ବଡ ନିୟମ: ଏଣିକି ୱେଟିଂ ଟିକେଟ୍ ଧରି ଟ୍ରେନରେ ଚଢିଲେ ଜରିମାନା ସାଙ୍ଗକୁ ୬ମାସ କାଳ ଖାଇବାକୁ ପଡିପାରେ ଜେଲର ହାୱା

5,822

ଯଦି ଆପଣ ରେଳ କାଉଂଟରରୁ ୱେଟିଂ ଟିକେଟକୁ ନେଇ ରିଜର୍ଭେସନ ବଗିରେ ଯାତ୍ରା କରନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏଭଳି କରିବା ଉପରେ ଆପଣଙ୍କୁ ଜେଲର ହାୱା ଖାଇବାକୁ ପଡିପାରେ । ଭାରତୀୟ ରେଳ ମନ୍ତ୍ରାଳୟର ନିୟମ ଆନୁସାରେ ଅନକନଫର୍ମ ଟିକେଟ ସହିତ ଯାତ୍ରା କରିବାକୁ ବିନା ଟିକେଟରେ ଯାତ୍ରା କରିବା ସହିତ ସମାନ ବୋଲି ଗ୍ରହଣ କରାଯିବ । ଯାହାର ଅର୍ଥ ହେଲା ଯଦି ଆପଣ ୱେଟିଂ ଟିକେଟ ନେଇ କୌଣସି ରିଜର୍ଭେସନ ବଗିରେ ଯାତ୍ରା କରନ୍ତି ତେବେ ଟ୍ରାଭେଲିଂ ଟିକେଟ ଏଗଜାମିନର ଅର୍ଥାତ୍ ଟିଟିଇ ଆପଣଙ୍କୁ ବଗିରୁ ବାହାର କରିଦେଇପାରନ୍ତି ।

ଏଥିସହିତ ହିଁ ରେଳ ଆକ୍ଟ ୧୯୮୯ ଅନୁସାରେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ରେଳ ଆକ୍ଟର ଆଧା ୫୫ରେ ବିନା ଟିକେଟରେ ଯାତ୍ରା କରିବାକୁ ଅପରାଧ ବୋଲି ଗ୍ରହଣ କରାଯାଇଛି । ଯେଉଁଥି ପାଇଁ ଧାରା ୧୩୭ ଅନୁସାରେ ୬ ମାସ ଜେଲ ଦଣ୍ଡାଦେଶ ଏବଂ ଜରିମାନାର ନିୟମ ରହିଛି । ସାଧାରଣତଃ ଯଦି ଆପଣ ଆଇଆରସିଟିସିର ୱେବସାଇଟକୁ ଯାଇ ଅନଲାଇନ ଟିକେଟ ବୁକ କରନ୍ତି ଆଉ ତାହା କନଫର୍ମ ନହୋଇ ପାରିଲେ ଆପଣାଛାଏଁ କାନସେଲ ହୋଇଯାଏ ଏବଂ ଉକ୍ତ ଟଙ୍କା ଗ୍ରାହକଙ୍କ ଖାତାରେ ରିଫଣ୍ଡ ହୋଇଯାଇଥାଏ । କିନ୍ତୁ ରେଳ ମନ୍ତ୍ରାଳୟ କାଉଂଟରରୁ ଟିକେଟ ନେବା ଦ୍ୱାରା ତାହା ଆପେ ଆପେ କ୍ୟାନସେଲ ହୋଇନଥାଏ । ଏଥିପାଇଁ ରେଲୱେ କାଉଂଟରକୁ ଯିବାକୁ ପଡିଥାଏ ।

ଯଦି ଆପଣ ରେଲୱେ କାଉଂଟରରୁ ୱେଟିଂ ଟିକେଟ ନିଅନ୍ତି ତେବେ ଟିକେଟ କନଫର୍ମ ନହେବା ସ୍ଥିତିରେ ଆପଣ ଜେନେରାଲ ବଗିରେ ଯାତ୍ରା କରିପାରିବେ । ଏହାବ୍ୟତୀତ ରେଲୱେ କିମ୍ବା ଆଇଆରସିଟିସି ଯାହା ନାଁରେ ଟିକେଟ ଜାରି କରିଥାଏ, କେବଳ ସେହି ବ୍ୟକ୍ତି ହିଁ ଉକ୍ତ ଟିକେଟରେ ଯାତ୍ରା କରିପାରିବେ । ଅନ୍ୟ କୌଣସି ବ୍ୟକ୍ତି ଉକ୍ତ ଟିକେଟରେ ଯାତ୍ରା କରିପାରିବେ ନାହିଁ । ଯଦି ଅଲଗା କୌଣସି ଟିକେଟରେ କିମ୍ବା ଅନ୍ୟ କେହି ବ୍ୟକ୍ତି ଆପଣଙ୍କ ଟିକେଟରେ ଯାତ୍ରା କରୁଥିବାରଧରା ପଡନ୍ତି ତେବେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ରେଳ ମନ୍ତ୍ରାଳୟ ।

ଦେଶର ସବୁଠାରୁ ବଡ ତଥା ଶସ୍ତା ପରିବହନ ନେଟୱର୍କ ହେଉଛି ରେଳ ମନ୍ତ୍ରାଳୟ । ଦେଶରେ ସବୁଠାରୁ ୍ଅଧିକ ଲୋକ ଟ୍ରେନରେ ହିଁ ଯାତ୍ରା କରିଥାନ୍ତି । ଏଭଳି ପରିସ୍ଥ୍ିତିରେ ସମସ୍ତଙ୍କୁ ରେଳ ମନ୍ତ୍ରାଳୟର ନିୟମ ସଂପର୍କରେ ଜ୍ଞାନ ରହିବା ନିହାତି ଦରକାର । କାହିଁକି ନା ରେଲୱେରେ କୌଣସି ନିୟମର ଉଲ୍ଲଂଘନ କରିବା ଉପରେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ଏଥିସହିତ ହିଁ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ଭରିବାକୁ ପଡିପାରେ । ତେବେ ଜାଣି ରଖନ୍ତୁ ରେଳ ମନ୍ତ୍ରାଳୟ ସଂପର୍କିତ କିଛି ଜରୁରୀ ନିୟମ

• ଟ୍ରେନରେ ମହିଳାଙ୍କ ପାଇଁ ରିଜର୍ଭ ବଗିରେ କୌଣସି ବି ପୁରୁଷ ଯାତ୍ରାଙ୍କ ପ୍ରବେଶ ଆଇନଗତ ଅପରାଧ ଅଟେ । ଯଦି କୌଣସି ମହିଳା ବଗିରେ ପ୍ରବେଶ କରନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗିପାରେ । ଏଥିସହିତ ହିଁ ଟିଟିଇ ଏଭଳି ପୁରୁଷ ଯାତ୍ରୀଙ୍କୁ ବଗିରୁ ବାହାର କରିପାରନ୍ତି ।

• ରେଲୱେ ଆକ୍ଟର ଧାରା ୧୫୬ ଅନୁସାରେ ଟ୍ରେନର ଛାତ, ସିଡି, ଡୋର, ଏବଂ ଇଂଜିନରେ ବସି ଯାତ୍ରା କରିବା ଦ୍ୱାରା ୩ ମାସ କାଳ ଜେଲଦଣ୍ଡାଦେଶ ହୋଇପାରେ । ଏଥିସହିତ ହିଁ ଜରିମାନା ମଧ୍ୟ ଲାଗିପାରେ ।

• ରେଲୱେ ଆକ୍ଟର ଧାରା ୧୬୭ ମୁତାବକ, ଟ୍ରେନରେ ସ୍ମୋକିଂ କରିବା ଅପରାଧ । ଏଭଳି ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗିପାରେ ।

• ଯଦି ଯାତ୍ରା ସମୟରେ କିମ୍ବା ଯାତ୍ରା ସରିବା ପରେ ଟିଟିଇ ଟିକେଟ ଦେଖିବାକୁ କୁହନ୍ତି ତେବେ ଯାତ୍ରୀଙ୍କୁ ଟିକେଟ ଦେଖାଇବାକୁ ହେବ । ଏଭଳି ନକରିବା ଉପରେ ଉକ୍ତ ଯାତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

• ସେହିଭଳି ମଦ୍ୟପାନ କରି ଟ୍ରେନରେ ପ୍ରବେଶ କରିବା ନିଶେଷ ଅଟେ । ଗାଳିଗୁଲଜ କରିବା ମଧ୍ୟ ଅନୁମତି ନାହିଁ । ଏଭଳି କରୁଥିବା ବ୍ୟକ୍ତିଙ୍କୁ ଟ୍ରେନରୁ ବାହାରକରିବା ସହିତ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ରେଲୱେ ଆକ୍ଟ ୧୪୫ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ତେବେ ଏଭଳି ମାମଲାରେ ୬ ମାସ କାଳ ଜେଲଦଣ୍ଡାଦେଶ ସହ ଜରିମାନା ଲାଗିବାର ନିୟମ ମଧ୍ୟ ରହିଛି ।

• ରେଲୱେ ଆକ୍ଟର ଧାର ୧୪୧ ଅନୁସାରେ ଟ୍ରେନରେ ଦୋକାନ ଲଗାଇବା ତଥା ଭିକ୍ଷାବୃତି କରିବା ମଧ୍ୟ ଅପରାଧ ଅଟେ । ଏଭଳି ବ୍ୟକ୍ତିଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ସହ ଜରିମାନା ମଧ୍ୟ ଭରିବାକୁ ପଡିପାରେ ।

• ସେହିଭଳି ରେଳ ମନ୍ତ୍ରାଳୟର ବିନା ଅନୁମତିରେ କୌଣସି ବି ବ୍ୟକ୍ତିଙ୍କୁ ଟ୍ରେନ ଟିକେଟ ବିକିବାର ହକ୍ ନାହିଁ । ଯଦି କୌଣସି ବ୍ୟକ୍ତି ଟିକେଟ ବିକୁଥିବା ବେଳେ ଧରାପଡନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ରେଳ ଆକ୍ଟର ଧାରା ୧୪୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ଏଭଳି ମାମଲାରେ ୩ ମାସ କାଳ ଜେଲଦଣ୍ଡାଦେଶ ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

• ରେଳ ଆକ୍ଟ ମୁତାବକ, ଯଦି କୌଣସି ବ୍ୟକ୍ତି ସଂକ୍ରମଣ ରୋଗୀରେ ଆକ୍ରନ୍ତ ଅଛନ୍ତି ତେବେ ତାଙ୍କୁ ଟ୍ରେନରେ ଯାତ୍ରା କରିବା ପାଇଁ ପ୍ରଥମେ ରେଳ ମନ୍ତ୍ରାଳୟଠାରୁ ଅନୁମତି ନେବାକୁ ହେବ । ଯଦି ଏଭଳି ରୋଗୀ ବିନା ଅନୁମତିରେ ଯାତ୍ରା କରନ୍ତି ତେବେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇପାରେ । ଖାଲି ଏତିକି ନୁହେଁ ଏଭଳି ରୋଗୀଙ୍କ ସହ ଯାତ୍ରା କରୁଥିବା ସଂପର୍କିୟଙ୍କୁ ବି ଟ୍ରେନରୁ ଓହ୍ଲାଇଦିଆଯାଇପାରେ । ଏଥିସହିତ ହିଁ ତାଙ୍କ ଟିକେଟ ମଧ୍ୟ ରଦ୍ଦ କରିଦିଆଯାଇପାରେ ।