ରୋଚକ ମୋଡରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ସିବିଆଇ ସ୍କାନରରେ ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ

265

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଓ କାର୍ଯ୍ୟାଳୟ ଉପରେ ସିବିଆଇ ଚଢାଉ ପରେ ଏବେ ବ୍ୟାଙ୍କ ଆକାଉଣ୍ଟରେ କରିଛି ଚଢାଉ । ସବୁଠୁ ବଡ କଥା ହେଉଛି ଯାଞ୍ଚ ସମୟରେ ସିବିଆଇ ଟିମ ସହ ନିଜେ ସିସୋଦିଆ ଓ ତାଙ୍କ ପତ୍ନୀ ବ୍ୟାଙ୍କରେ ପହଁଚିଥିଲେ । ୩ଘଣ୍ଟାର ଖୋଲତାଡ ପରେ ଖାଲି ହାତରେ ଫେରିଛି ସିବିଆଇ । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିସୋଦିଆ । ସେ ଓ ତାଙ୍କ ପରିବାର ଯାଞ୍ଚରେ ପୂର୍ଣ୍ଣ ସହଯୋଗ କରିଛନ୍ତି କିନ୍ତୁ ସିବିଆଇ ଖାଲି ହାତରେ ଫେରିଛି ବୋଲି ସିସୋଦିଆ କହିବା ସହ ନିଜକୁ କ୍ଲିନଚିଟ୍ ମଧ୍ୟ ଦେଇଛନ୍ତି ।

ମଙ୍ଗଳବାର ସକାଳୁ ସକାଳୁ ଗାଜିଆବାଦ ସେକ୍ଟର ୪ରେ  ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ପହଞ୍ଚିଥିଲା ସିବିଆଇ ଟିମ୍ । ସିସୋଦିଆ ଓ ତାଙ୍କ ପରିବାର ସାମ୍ନାରେ ଲକର ଯାଞ୍ଚ କରି ଖାଲି ହାତରେ ଫେରିଛି ସିବିଆଇ । ସେପଟେ ବିଜେପି ଆପକୁ ପ୍ରଶ୍ନ ପଚାରିଛି । ଏତେ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ମଧ୍ୟ ଦିଲ୍ଲୀ ସରକାର କଣ ପାଇଁ ଜବାବ ରଖୁନାହାଁନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏଥିସହ ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଓ ମଦ ଘୋଟାଲା କରୁଛନ୍ତି ଓ ଡ୍ରାମା କରି ବିଧାନସଭାରେ ଫ୍ଲୋର ଟେଷ୍ଟ କରି ଦେଶବାସୀଙ୍କୁ ଭୁଆଁ ବୁଲାଉଥିବା ବିଜେପି  କହିଛି ।

ଦିଲ୍ଲୀ ଅବକାରୀ ନୀତିରେ ବଡ ଧରଣର ଘୋଟାଲ ଅଭିଯୋଗ କରିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଅବକାରୀ କମିସନଙ୍କ ୨୧ଟି ଠିକଣାରେ ରେଡ କରିଛି ସିବିଆଇ । ଉପରାଜ୍ୟପାଳଙ୍କ ବିନା ଅନୁମତିରେ ମଦ ମାଫିଆଙ୍କୁ ବେଆଇନ ଭାବେ ଲାଇସେନ୍ସ ଦେଇ ଦିଲ୍ଲୀ ସରକାର ବଡ ଘୋଟାଲା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଦିଲ୍ଲୀରେ ଜାରି ରହିଛି ଆମ ଆଦମୀ ପାର୍ଟି ବନାମ ବିଜେପି ।