ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଆସିଲା ନୂଆ ତଥ୍ୟ, ହେଲେ ହତ୍ୟା ତାରିଖକୁ ନେଇ ଏବେ ଦ୍ୱନ୍ଦରେ ପୋଲିସ

79

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀ ପୁଲିସର ତଦନ୍ତରୁ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା କରିବାର ଏକ ଘଣ୍ଟା ପରେ ଅଫତାବ୍ ଏକ ଡେଲିଭରୀ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିଛି । ଅଭିଯୁକ୍ତ ଅଫତାବ ପୋଲିସକୁ କହିଛି ଯେ, ଶ୍ରଦ୍ଧାଙ୍କୁ ସେ ୧୮ ମଇ ରାତି ୯ଟାରେ ହତ୍ୟା କରିଥିଲା । ହେଲେ ସେଦିନର ଅଫତାବର ଫୋନ୍ ରେକର୍ଡରୁ ଯାହା ଜଣାପଡିଛି, ରାତି ୧୦ଟା ବେଳେ ସେ ଖାଦ୍ୟ ଅର୍ଡର କରିଥିଲେ । ତେଣୁ ପୋଲିସ ଭାବୁଛି, ହୁଏତ ଅଫତାବ୍ ହତ୍ୟା ତାରିଖ କଥା ମିଛ କହୁଛି, କିମ୍ବା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ । କାରଣ ଜଣକୁ ହତ୍ୟା କରିବା ପରେ ସାଧାରଣତ ହତ୍ୟାକାରୀ ଚାପରେ ଭୋକ ଶୋଷ ଭୂଲିଯାଏ, ହେଲେ ଅଫତାବଙ୍କ କ୍ଷେତ୍ରରେ ଏହା ପୂରା ଓଲଟା ଦେଖିବାକୁ ମିଳିଛି । ଏପରିକି ପଲିଗ୍ରାଫ୍ ଟେଷ୍ଟ ବେଳେ ଘଟଣାପାଇଁ ତାକୁ ଅନୁତପ୍ତ ନଥିବା କହିଛି ଅଫତାବ୍ । ସେପଟେ ଡିସେମ୍ବର ୧ରେ ତାର ନାର୍କୋଟେଷ୍ଟ ହୋଇପାରେ ।

ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫତାବ୍ ପୁନେୱାଲର ବ୍ରେନ ମ୍ୟାପିଂ ଟେଷ୍ଟ କରିପାରେ । ଏହି ପରୀକ୍ଷା ସାଧାରଣତଃ ଜଣେ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟଅବସ୍ଥା ଜାଣିବାରେ ସହାୟକ ହୋଇଥାଏ । ପୋଲିସ କହିବାନୁଯାୟୀ ଯଦି ପଲିଗ୍ରାଫ୍, ନାର୍କୋ ଟେଷ୍ଟ ଫଳାଫଳ ଅସ୍ପଷ୍ଟ ହୁଏ, ତେବେ ଅଫତାବଙ୍କ ବ୍ରେନ ମ୍ୟାପିଂ ଟେଷ୍ଟ କରାଯିବ । ସେପଟେ ୫ଟି ପଯ୍ୟାୟରେ ହେବାକୁ ଥିବା ପଲିଗ୍ରାଫ୍ ଟେଷ୍ଟ ମଧ୍ୟରୁ ଏବେ ସୁଦ୍ଧା ୩ଟି କରାଯାଇସାରିଛି । ଶ୍ରଦ୍ଧା ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ଆଫତାବଙ୍କ ନୂଆ ଗର୍ଲଫ୍ରେଣ୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ଘଟଣା ପରେ ସେ ଦୁଇ ଥର ଅଫତାବଙ୍କ ଘରକୁ ଯାଇଥିଲେ, ବି ସେଠାରେ କୌଣସି ଶରୀରର ଅଂଶ ଥିବା ନେଇ ସୂରାକ ପାଇନଥିବା କହିଛନ୍ତି । ଏପରିକି ଶ୍ରଦ୍ଧାଙ୍କୁ ହତ୍ୟା ପରେ ବି ଏକାଧିକ ଝିଅଙ୍କ ସମ୍ପର୍କରେ ରହିଥିଲା ଅଭିଯୁକ୍ତ ଅଫତାବ ପୁନେୱାଲା । ସେପଟେ ଶ୍ରଦ୍ଧା ହତ୍ୟାକାରୀକୁ ଉଚିତ୍ ଶାସ୍ତି ଦେବା ପାଇଁ ଚାରିଆଡେ ଦାବି ହେଉଛି ।

କେମିତି, କାହିଁକି ଆଉ କେବେ ଅଫତାବ ନିଜ ପ୍ରେମିକା ଶ୍ରଦ୍ଧାର ଏଭଳି ବିଭତ୍ସ, ବର୍ବର ହତ୍ୟା କରିଛି ତାର ଏବେ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି । ନଭେମ୍ବର ୧୪ରୁ ଏବେ ସୁଦ୍ଧା ୧୬ଦିନ ବିିତିଯାଇଥିଲେ ବି ପୁଲିସ ପାଖରେ ଠୋସ୍ ପ୍ରମାଣ ଅଭାବ ରହିଛି । ଯେତେ ଶିଘ୍ର ଅଧିକରୁ ଅଧିକ ପ୍ରମାଣ ମିଳିବ ସେତିକି ଶିଘ୍ର ଅପରାଧୀକୁ କୋର୍ଟରେ ଦୋଷୀ ପ୍ରମାଣ କରିହେବ । ଏହି ଦିଗରେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ କାମ କରୁଛି ।