ନଭେମ୍ବର ମାସରେ ବୃଦ୍ଧି ପାଇ ୮ ପ୍ରତିଶତ ହେଲା ବେରୋଜଗାରୀ ଦର, ରିପୋର୍ଟ କହୁଛି ଗାଁ ଠାରୁ ସହରରେ ଅଧିକ ବେରୋଜଗାରୀ

66

କନକ ବ୍ୟୁରୋ : ଗତ ୩ ମାସ ମଧ୍ୟରେ ଭାରତର ବେରୋଜଗାରୀ ଦର ସର୍ବାଧିକ ବୃଦ୍ଧି ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ତରଫରୁ ଗୁରୁବାର ଦିନ ଜାରି କରାଯାଇଥିବା ରିପୋର୍ଟରେ ଏହି କଥା କୁହାଯାଇଛି । ରିପୋର୍ଟ ମୁତାବକ ଭାରତର ସହରାଞ୍ଚଳରେ ଗ୍ରାମାଞ୍ଚଳ ତୁଳନାରେ ବେରୋଜଗାରୀ ଦର ସର୍ବାଧିକ ରହିଛି । ଦେଶର ସହରାଞ୍ଚଳରେ ବେରୋଜଗାରୀ ହାର ୮.୯୬ ପ୍ରତିଶତ ରହିଥିବା ବେଳେ ଗ୍ରାମଞ୍ଚଳରେ ଏହା ୭.୫୫ ପ୍ରତିଶତ ରହିଛି । ଏହା ପୂର୍ବରୁ ଅର୍ଥାତ ଅକ୍ଟୋବର ମାସରେ ସହରାଞ୍ଚଳରେ ବେରୋଜଗାରୀ ଦର୭.୨୧ ପ୍ରତିଶତ ରହିଥିବା ବେଳେ ଗ୍ରାମାଞ୍ଚଳରେ ବେରୋଜଗାରୀ ଦର ୮.୦୪ ପ୍ରତିଶତ ଥିଲା ।

ଯଦି ରାଜ୍ୟ ସ୍ତରରେ ବେରୋଜଗାରୀ ହାର ଦେଖାଯିବ ତେବେ ରିପୋର୍ଟ ମୁତାବକ ସବୁଠାରୁ ଅଧିକ ବେରୋଜଗାରୀ ହରିଆଣାରେ ରହିଛନ୍ତି । ଏଠାରେ ନଭେମ୍ବର ମାସ ସୁଦ୍ଧା ବେରୋଜଗାରୀ ହାର ୩୦.୬ ପ୍ରତିଶତ ରହିଛି । ଏହା ତଳକୁ ରହିଛି ରାଜସ୍ଥାନ, ଏଠାରେ ବେରୋଜଗାରୀ ହାର ୨୪.୫ ପ୍ରତିଶତ ରହିଛି । ସେହିଭଳି ଜାମ୍ମୁ-କାଶ୍ମୀରରେ ବେରୋଜଗାରୀ ହାର ୨୩.୯ ପ୍ରତିଶତ, ବିହାରରେ ୧୭.୩ ପ୍ରତିଶତ ଓ ତ୍ରିପୁରାରେ ୧୪.୫ ପ୍ରତିଶତ ରହିଛି ।

ସେହିଭଳି କମ୍ ବେରୋଜଗାରୀ ରାଜ୍ୟ ତାଲିକାରେ ଛତିଶଗଡ ସବୁଠାରୁ ଆଗରେ ରହିଛି । ଛତିଶଗଡରେ ବେରୋଜଗାରୀ ହାର ୦.୧ ପ୍ରତିଶତ ରହିଛି । ନଭେମ୍ବର ମାସ ସୁଦ୍ଧା ଉତ୍ତରାଖଣ୍ଡରେ ବେରୋଜଗାରୀ ହାର ୧.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୧.୬ ପ୍ରତିଶତ, କର୍ଣ୍ଣାଟକରେ ୧.୮ ପ୍ରତିଶତ ରହିଛି । ସେହିଭଳି ମେଘାଳୟରେ ୨.୧ ପ୍ରତିଶତ ରହିଛି । ଯଦି ସାରା ଦେଶର ବେରୋଜଗାରୀ ହାରକୁ ହିସାବ କଲେ ଅକ୍ଟୋବର ମାସରେ ଏହାର ୭.୭୭ ପ୍ରତିଶତ ଥିବା ବେଳେ ଏବେ ଏହା ୮ ପ୍ରତିଶତରୁ ଅଧିକ ରହିଛି ।