କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ନିଶାନା । କହିଲେ, ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ ଭୁଆଁ ବୁଲାଇବା ବନ୍ଦ କର, ଜମି ପାଇଁ କେବେ କରିଛ କି ଆବେଦନ?

183

କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ମୈଦାନରୁ ବିଜେପିକୁ ସିଧା ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ ପଦ୍ମପୁରବାସୀଙ୍କୁ ମିଛ କହିଛନ୍ତି କେନ୍ଦ୍ରମନ୍ତ୍ରୀ । କିଛି ଏଭଳି କହି କେନ୍ଦମନ୍ତ୍ରୀଙ୍କୁ ତୀର ମାରିଛନ୍ତି ନବୀନ । ସାଧାରଣ ସଭା ପରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ନବୀନ କହିଛନ୍ତି, ୨୦୧୮ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ବରଗଡରୁ ପଦ୍ମପୁର ଦେଇ ଟ୍ରେନ୍ ନୂଆପଡା ଯିବ । ବିଜେପୁର ଉପ-ନିର୍ବାଚନ ସମୟରେ ଏମିତି କହିଥିଲେ । ୨୦୨୨ରେ ଦୁଇ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ କହୁଛନ୍ତି ଓଡ଼ିଶା ସରକାର ଜମି ଦେଲେ, କାମ ଆରମ୍ଭ କରିବେ । ପଦ୍ମପୁର ଉପ-ନିର୍ବାଚନ ବେଳେ ଏଭଳି ଘୋଷଣା କରୁଛନ୍ତି । ମାନ୍ୟବାର କେନ୍ଦ୍ରମନ୍ତ୍ରୀ କହିବେ କି, ଏହି ରେଲୱେ ଲାଇନ୍ କେଉଁ ଗାଁ ଦେଇ ଯିବ, ଷ୍ଟେସନ କେଉଁଠି ହେବ, କେଉଁଠି ବ୍ରିଜ ହେବ ।

ରାଜ୍ୟ ସରକାରଙ୍କୁ ଜମି ଦେବାକୁ କେନ୍ଦ୍ରମନ୍ତ୍ରୀ କହିଲେ କିନ୍ତୁ କେଉଁ ଗାଁରେ କେତେ ଜମି ଦରକାର ତାହାର ସର୍ଭେ କରିଛନ୍ତି କି? ଡିପିଆର ହୋଇଛି କି? ରାଜ୍ୟ ସରକାରଙ୍କ ପାଖରେ ଜମି ପାଇଁ ଆବେଦନ କରିଛନ୍ତି କି? କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଏହାର ଉତ୍ତର ନାହିଁ ତେଣୁ ପଦ୍ମପୁରବାସୀଙ୍କୁ କାହିଁକି ମିଛ କହିଲେ । ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । ଏଭଳି କହି କେନ୍ଦ୍ରମନ୍ତ୍ରୀଙ୍କୁ ସିଧା ପ୍ରଶ୍ନବାଣ ମାରିଛନ୍ତି ନବୀନ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପଦ୍ମପୁର ପ୍ରଚାର ମୈଦାନରେ ରାଜ୍ୟ ସରକାର ଯେଉଁଦିନ ଜମି ଦେବେ ତାହା ପରଦିନ କାମ ଆରମ୍ଭ ହେବ ବୋଲି କହିଥିଲେ । ଆଉ ଏଭଳି କହି ପଦ୍ମପୁର ରେଳ ପ୍ରକଳ୍ପ ବିଳମ୍ବ ହେବା ପଛର ଅଠା ନବୀନ ସରକାରଙ୍କ ମୁଣ୍ଡରେ ବୋଳିଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମପୁରରେ ପ୍ରଚାର ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ପକ୍ଷରୁ ଏନେଇ ଉତ୍ତର ରଖାଯାଇଥିଲା । ଏପରିକି ଏହି ପ୍ରକଳ୍ପ ଲାଭଜନକ ନଥିବା ଦର୍ଶାଇ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ରଖିଥିଲା ବୋଲି ଅଭିଯୋଗ କରିଥିଲା । ଏପରିକି ରାଜ୍ୟ ମାଗଣା ଜମି ଓ ଅତିରିକ୍ତ ୩୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଥିବା ବେଳେ କେନ୍ଦ୍ର କାହିଁକି ସର୍ଭେ କରୁନି ବୋଲି ପ୍ରଶ୍ନ ଉଠାଇଥିଲା । ଆଉ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ରେଳ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ମିଛ କହୁଥିବା ନେଇ ବୟାନ ଦେବା ପରେ ପୁଣିଥରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ପଦ୍ମପୁର ରେଳ ପ୍ରକଳ୍ପ ପ୍ରସଙ୍ଗରେ କିଏ ଫାଇଦାରେ ରହିବ ଓ କାହା କଥାକୁ ପଦ୍ମପୁରବାସୀ ଭରସା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।