ମହାରାଷ୍ଟ୍ର ସରକାରରେ ଅଜିତ ପାୱାର ଗୋଷ୍ଠୀ ଯୋଗଦେବାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସିନ୍ଦେ ଗୋଷ୍ଠୀ । ମନ୍ତ୍ରୀ କହିଲେ ଆମ ନେତାଙ୍କ ଭିତରେ ବଢୁଛି ଅସନ୍ତୋଷ

322

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏନସିପିର ବିଦ୍ରୋହୀ ନେତା ଅଜିତ୍ ପାୱାର ତାଙ୍କ ସମର୍ଥିତ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫର୍ଡନାଭିସଙ୍କ ସରକାରରେ ଯୋଗ ଦେଇଛନ୍ତି । ଏହି କ୍ରମରେ ଅଜିତ ପାୱାର ୫ମ ଥର ପାଇଁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇସାରିଛନ୍ତି । ଏସବୁ ଭିତରେ ଶିବସେନା (ସିନ୍ଦେ ଗୋଷ୍ଠୀ)ର ନେତା ସଂଜୟ ଶିରସାଟଙ୍କ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି  । ସେ କହିଛନ୍ତି କି ରାଜନୀତିରେ ଯଦି ଆମର ବିରୋଧୀ ଆମ ସହିତ ହାତ ମିଳାଇବାକୁ ଚାହାଁନ୍ତି ତେବେ ସେମାନଙ୍କୁ ସୁଯୋଗ ଦିଆଯାଏ  ଓ ଏହା ବିଜେପି ଅଜିତ ପାୱାରଙ୍କ କ୍ଷେତ୍ରରେ କରିଛି ।

ସଂଜୟ ଶିରସାଟ କହିଛନ୍ତି କି, ଏନସିପିର ବିଧାୟକମାନେ ଆମ ସରକାରରେ ଯୋଗ ଦେବାକୁ ନେଇ ଶିବସେନା (ସିନ୍ଦେ ଗୋଷ୍ଠୀ)ର କିଛି ନେତା ଅସନ୍ତୋଷ ଜାହିର କରିଛନ୍ତି । ଏହାର କାରଣ ହେଉଛି ଅସନ୍ତୋଷ୍ଟ ହୋଇଥିବା ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଆଗାମୀ ଦିନରେ ପଦବୀ ମିଳିବାର ଥିଲା । ଏଣୁ ସିନ୍ଦେ ଗୋଷ୍ଠୀର ସମସ୍ତ ନେତାମାନେ ଅଜିତ ପାୱାରଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଅବଗତ କରାଯାଇଛି । ସେମାନେ ତୁରନ୍ତ ଏହା ଉପରେ ସଠିକ ନିଷ୍ପତ୍ତି ନନେଲେ ଦଳ ପାଇଁ ବିପଦ ଆସିପାରେ ।