ସେୟାର ବଜାରରେ ଝଡ଼ : ୮ଶହ ୫୦ ଖସିଲା ସେନସେକ୍ସ । ନିଫ୍ଟିରେ ପାଖାପାଖି ୨୦୦ ପଏଣ୍ଟ ହ୍ରାସ

51

କନକ ବ୍ୟୁରୋ : ସେୟାର ବଜାରରେ ବଡ ବିପର୍ଯ୍ୟୟ । ୮୫୦ ଅଙ୍କ ତଳକୁ ଖସିଲା ସେନସେକ୍ସ । ଲଗାତର ଭାବେ ସେୟାର ବଜାରରେ ହ୍ରାସ ଜାରି ରହିଛି । ଆଜି କାରବାର ଆରମ୍ଭ ବେଳକୁ ସେନସେକ୍ସ ୫୦୬ ଦଶମିକ ୩୩ ଅଙ୍କ ତଳକୁ ଖସିଥିଲା । ୩୫ ହଜାର ୪୬୯ ପଏଂଟରେ କାରବାର ଆରମ୍ଭ କରିବା ବେଳେ ଆହୁରି ତଳକୁ ଖସିଥିଲା ସେନସେକ୍ସ । ଫଳରେ ପ୍ରାୟ ୮୫୦ ଅଙ୍କ ତଳକୁ ଖସି ଯାଇଥିଲା ସେନସେକ୍ସ । ସେହିପରି ନିଫ୍ଟି ସୂଚକାଙ୍କରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ୨୬୧ ଦଶମିକ ୫୦ ଅଙ୍କ ତଳକୁ ଖସି ୧୦ ହଜାର ୫୯୬ ଦଶମିକ ୭୫ ପଏଂଟରେ କାରବାର ଜାରି ରଖିଛି ନିଫ୍ଟି । ସପ୍ତାହର ଚତୁର୍ଥ ଦିନରେ ବି ଶେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ସେୟାର ବଜାର ଉପରେ ପଡିଛି । ଗତକାଲି ମଧ୍ୟ ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକ ପୂର୍ବରୁ ସେୟାର ବଜାରରେ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଥିଲା ।

ପ୍ରଥମ ଥର ପାଇଁ ୭୩ ଟପିଲା ଡଲାର ମୂଲ୍ୟ । ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଲଗାତର ହ୍ରାସ ପାଇବା ଜାରି ରହିଛି । ଆଜି ପୁଣି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୪୩ ପଇସା ହ୍ରାସ ପାଇ ୭୩ ଟଙ୍କା ୬୦ପଇସାରେ ପହଂଚିଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସ୍ତରରେ ହ୍ରାସ ପାଇଛି । ଆମେରିକା ତରଫରୁ ଇରାନ୍ ଉପରେ ଆର୍ଥିକ କଟକଣା ଲଗାଯାଇଥିବାରୁ ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିଛି । ବିଶେଷ କରି ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ଅସ୍ଥିରତା ଆରମ୍ଭ ହୋଇଯାଇଛି । ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ଯେଉଁଥି ପାଇଁ ଏହାର ପ୍ରଭାବ ଟଙ୍କା ଉପରେ ଦେଖିବାକୁ ମିଳିଛି । ଗତ ସୋମବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରହିଥିଲା ୭୨ ଟଙ୍କା ୯୧ ପଇସା । ଆଗକୁ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇବା ଆଶଙ୍କା କରାଯାଉଛି । କାରଣ ଆସନ୍ତା ନଭେମ୍ବର ୪ ତାରିଖରୁ ଇରାନ୍ ଉପରେ ଆମେରିକାର କଟକଣା କଡାକଡି ଭାବେ ଲାଗୁ ହେବାକୁ ଯାଉଛି । ଫଳରେ ଅଶୋଧିତ ତୈଳ ଆମଦାନୀରେ ସମସ୍ୟା ଦେଖାଦେବା ସହ ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡିବ । ତେଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇବା ଏକ ପ୍ରକାର ନିଶ୍ଚିତ ବୋଲି ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।