ବିରୋଧୀ ମେଣ୍ଟକୁ ଝଟକା ଦେଇ ପାରନ୍ତି ଏନସିପି ମୁଖ୍ୟ ଶରଦ ପାୱାର, ଆଜି ଅମିତ ଶାହାଙ୍କୁ କରିବେ ଭେଟ

240

କନକ ବ୍ୟୁରୋ : ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଆଜି ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭେଟଘାଟ ହେବାକୁ ଯାଉଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ । ମହାରାଷ୍ଟ୍ରରେ ହୋଇଥିବା ବ୍ୟା ଓ ବନ୍ୟା ପରର ସ୍ଥିତି ଉପରେ ଆଲୋଚନା କରିବାକୁ ଶରଦ ପାୱାର ଶାହାଙ୍କୁ ଭେଟୁଥିବା କଥା କୁହାଯାଉଥିବା ବେଳେ ଏହି ଭେଟ ବିରୋଧୀ ମେଣ୍ଟକୁ ଝଟକା ଦେଇପାରେ ବୋଲି ବି ଆଲୋଚନା କରାଯାଉଛି ।

କହିରଖୁ କି କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀମାନେ ଏକଜୁଟ ହେବାକୁ ପ୍ରୟାସ ଜାରି ରହିଛି । ମମତା ବାନାର୍ଜୀଙ୍କ ପରେ ଆଜି ରାହୁଲ ଗାନ୍ଧୀ ୧୪ ଟି ବିରୋଧୀଦଳଙ୍କୁ ଏକାଠି କରି ସାଇକେଲରେ ସଂସଦ ପହଂଚିଥିବା ବେଳେ ସେଥିରେ ଏନସିପି ନେତା ସାମିଲ ଥିଲେ । ଏପଟେ ଆଜି ଶରଦ ପାୱାର ଗୃହମନ୍ତ୍ରୀଙ୍କୁ ଭେଟୁ ଥିବାରୁ ଏନସିପିର ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକାଶ ପାଇଛି ।

କହିରଖୁ କି କିଛିଦିନ ତଳେ ଶରଦ ପାୱାରଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି କରାଯିବା ନେଇ ଆଲୋଚନା ଜୋର ଧରିଥିଲା । ଏହି କ୍ରମରେ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରିଥିଲେ । ଏହା ପରେ ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ଭିନ୍ନ ଭିନ୍ନ ତରିକାରେ ବିଜେି ସହ ଥିବା ସଂପର୍କକୁ ନେଇ ମତ ଦେଇଥିଲେ । ସେତେବେଳେ ମହାରାଷ୍ଟ୍ର ସରକାର ଭାଙ୍ଗିବା ନେଇ ବି ଆଲୋଚନା ହୋଇଥିଲା ।

ହେଲେ ଶରଦ ପାୱାର ଗୋଟେପଟେ ବିରୋଧୀ ମେଣ୍ଟରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଅମିତ ଶାହାଙ୍କ ସହ ଭେଟ କରିବା ନେଇ ଖବର ଆସିବା ପରେ ବିରୋଧୀ ମେଣ୍ଟ ଯେ ଏବେ ବି ଗେଣ୍ଡା ଅଙ୍କ କଷୁଛି ବୋଲି ଅନୁମାନ କରାଯାଉଛି ।