ବିହାରରେ ଟ୍ରେନ ଦୁର୍ଘଟଣାରେ ୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା

ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ--ଉଦ୍ଧାର କାମରେ ଏନଡିଆରଏଫ ଟିମ ସାମିଲ

113

କନକ ବ୍ୟୁରୋ: ବିହାରରେ ଆଜି ସକାଳୁ ବଡ ଟ୍ରେନ ଦୁର୍ଘଟଣା ହୋଇଛି । ସୀମାଂଚଳ ଏକ୍ସପ୍ରେସର ୧୧ଟି କୋଚ ଲାଇନଚ୍ୟୁତ ହେବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ଆଜି ଭୋର ପ୍ରାୟ ୪ଟାରେ ହୋଇଛିା ସୀମାଂଚଳ ଏକ୍ସପ୍ରେସ ବିହାରର ଯୋଗବନୀରୁ ଦିଲ୍ଲୀ ଯାଉଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଓ ରେଳବାଇର ବରିଷ୍ଠ ଅଧିକାରୀ ପହଂଚିସାରିଛନ୍ତି ।

ହେଲପନାଇନ ନମ୍ବର ବି ଜାରି କରାଯାଇଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ କ୍ଷତିଗ୍ରସ୍ତ କୋଚ ମଧ୍ୟରେ ରହିଛି ଗୋଟିଏ ଜେନେରାଲ ବଗି, ଗୋଟିଏ ଏସି ବଗି ଓ ୩ଟି ସ୍ଲିପର ବଗି । ଭୋରରୁ ଦୁର୍ଘଟଣା ଘଟିଥିବାରୁ ଅନ୍ଧାର ଯୋଗୁଁ ବିଳମ୍ବରେ ଉଦ୍ଧାରକାରୀ ଟିମ ପହଂଚିଥିଲେ । ଏହି ରେଳ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଉଦ୍ଧାର କାମରେ ଏନଡିଆରଏଫ ସାମିଲ ହୋଇଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଲେଖାଁଏ ସହୟତା ଘୋଷଣା କରାଯାଇଛି । ସେହିଭଳି ଗୁରୁତରଙ୍କୁ ଲକ୍ଷେ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ସହାୟତା ମିଳିବ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ବି ରେଳଟ୍ରାକରେ ଫାଟ ଥିବା ଜଣାପଡିଛି ।