ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣାର ଖୋଲୁଛି ଗୁମର : ଫେରାର ପଛରେ କଟକ ସହଯୋଗୀଙ୍କ ଲିଙ୍କ ଥିବା ସୂଚନା

ଚିକିତ୍ସା ବେଳେ ଲୁଚି ଛପି ହାଇଦର ବ୍ୟବହାର କରୁଥିଲା ଫୋନ; ଗ୍ୟାଙ୍ଗଷ୍ଟାରକୁ ଧରିବା ପାଇଁ ଗଠନ ହେଲା ୪ଟି ଟିମ୍

368

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ଚାଂଚଲ୍ୟକର ଖବର । ବିଶ୍ୱସ୍ତ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇଦର ଫେରାର ପଛରେ ରହିଛି କଟକ ସହଯୋଗୀଙ୍କ ଲିଙ୍କ । କଟକର ଜଣେ ସହଯୋଗୀ ହାଇଦରକୁ ଫେରାର କରିବାରେ ସହଯୋଗ କରିଥିବା ସୂଚନା ମିଳିଛି । ବଡ଼ କଥା ହେଉଛି ହାଇଦର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଲୁଚି ଛପି ଫୋନ ବ୍ୟବହାର କରୁଥିଲା । ଆଉ ଏହି ଫୋନ ସହାୟତାରେ ସହଯୋଗୀଙ୍କ ଯୋଗାଯୋଗରେ ଥିଲା । ଏହା ପରେ ସହଯୋଗୀ ହାଇଦରଙ୍କୁ ଫେରାର ହୋଇଥିବାରେ ସାହାର୍ଯ୍ୟ କରିଥିବା ସୂଚନା ମିଳିଛି ।

କଟକ ବଡ଼ ମେଡ଼ିକାଲରୁ ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍ । କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁରର ଏସ୍ପିଙ୍କୁ ମଧ୍ୟ ସତର୍କ କରାଯାଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲା ବାଲେଶ୍ୱର ଏସ୍ପି ଓ ମୟୁରଭଞ୍ଜ ଏସପିଙ୍କୁ ଖବର ଦିଆଯାଇଛି । କାରଣ, ପଶ୍ଚିମବଙ୍ଗ ସୀମା ଦେଇ ଖସିବାର ଉଦ୍ୟମ କରିବାର ଆଶଙ୍କା ଥିବାରୁ ଏହି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।

ଫଟୋ ସର୍କୁଟେଲ କରି ହାଇଦରକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍ । ସେହିପରି ଗ୍ୟାଙ୍ଗଷ୍ଟାର ହାଇଦରର ପୁରୁଣା ଲିଙ୍କ୍ ଓ ନୂଆ ଲିଙ୍କ୍ ସହ ଯୋଗାଯୋଗ କରି ତାକୁ ଧରିବାକୁ ଉଦ୍ୟମ କରୁଛି ପୁଲିସ୍ । ବର୍ତମାନ ସମୟରେ ଗ୍ୟାଙ୍ଗଷ୍ଟାର ହାଇଦର କେଉଁଠି ଠାବ କରାଯିବ ତାକୁ ପ୍ରାଥମିକତା ଦେଇ ଖୋଳତାଳ ଆରମ୍ଭ କରିଛି ପୁଲିସ୍ ।

ଫେରାର୍ ଗ୍ୟାଙ୍ଗଷ୍ଟାରକୁ ଖୋଜିବା ପାଇଁ ପୁଲିସର ବଡ଼ଧରଣର ଅପରେସନ୍ ଭିତରେ କେମିତି ହୋଇଥିବା ଷଡ଼ଯନ୍ତ୍ରର ନକ୍ସ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବାରିମୂଳ ଉପକାରାଗାରରୁ ଚୌଦ୍ୱାର ଜେଲ ଦେଇ ସମ୍ବଲପୁରରେ ପହଂଚିଥିବା ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଭିତରେ କେଉଁଠି ହୋଇଥିଲା ଷଡ଼ଯନ୍ତ୍ର । ଜେଲରୁ ହୋଇଥିଲା କି ଷଡ଼ଯନ୍ତ୍ର । ଜେଲରୁ ବାରମ୍ବାର ହସ୍ପିଟାଲ ଯିବା ଏବଂ ବୁର୍ଲାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିବା ଭିତରେ କ’ଣ ଥିଲା ସ୍ୱାସ୍ଥ୍ୟଗତ କାରଣ ? କେଉଁ ରୋଗ ଏବଂ କେଉଁ ସମସ୍ୟାରେ ହାଇଦରକୁ ଭିମ୍ସାର ବୁର୍ଲାରୁ କଟକ ବଡ଼ ମେଡ଼ିକାଲକୁ କାହିଁକି ସ୍ଥାନାନ୍ତର କରାଯାଇଥିଲା ? କୁଖ୍ୟାତ ଅପରାଧୀକୁ ଜଗିବା ପାଇଁ କେମିତି ଜଣେ ସୁରକ୍ଷାକର୍ମୀଙ୍କ ହାତରେ ଛାଡ଼ି ଦିଆଯାଇଥିଲା ତାକୁ ନେଇ ବି ପ୍ରଶ୍ନ ଉଠିଛି ।