ଘୁଞ୍ଚିବନି ପାଠପଢ଼ା, ୧୯ରୁ ଖୋଲିବ ସ୍କୁଲ: ବାତ୍ୟା ଆଶ୍ରୟ ସ୍ଥଳୀରେ ପଢ଼ିବେ ପିଲା, ଗ୍ରାମାଞ୍ଚଳ ପ୍ରାଥମିକ ବିଦ୍ୟାଳୟ ମରାମତି କରିବେ ସରପଞ୍ଚ

ସମ୍ପୂର୍ଣ୍ଣ ଭାଙ୍ଗିଥିବା ସ୍କୁଲ ପିଲା ନିକଟସ୍ଥ ବିଦ୍ୟାଳୟରେ ପଢ଼ିବେ

560

କନକ ବ୍ୟୁରୋ: ଆସନ୍ତା ୧୯ ତାରିଖରେ ଖୋଲିବ ସରକାରୀ ବିଦ୍ୟାଳୟ। ବାତ୍ୟା ‘ଫୋନି’ ପରେ ବି ପୂର୍ବ ନିଷ୍ପତ୍ତିରେ କୌଣସି ପରିବର୍ତନ ହେବ ନାହିଁ। ହାତରେ ଆଉ ୭ ଦିନ ଥିବାରୁ ଏହି ସମୟ ମଧ୍ୟରେ ବିଦ୍ୟାଳୟ କ୍ୟାମ୍ପସକୁ ସଫେଇ କରିବା ସହ ମରାମତି ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁରର ଯେଉଁ ସ୍କୁଲଗୃହଗୁଡ଼ିକ ବାତ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ସେଗୁଡ଼ିକର ମରାମତି ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟଗୁଡ଼ିକର ମରାମତି କାର୍ଯ୍ୟ ବିଭିନ୍ନ ବିଭାଗକୁ ବଣ୍ଟନ କରାଯିବା ସହ ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିକଟସ୍ଥ ବିଦ୍ୟାଳୟରେ କରାଇବା ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

source : India Today

ବାତ୍ୟା ‘ଫୋନି’ରେ ୬ ହଜାରରୁ ଅଧିକ ବିଦ୍ୟାଳୟ ପ୍ରଭାବିତ ହୋଇଛି। ତେବେ ପୁରୀ ଜିଲ୍ଲାର ସର୍ବାଧିକ ସ୍କୁଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଜିଲ୍ଲାର ୧୩୭ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୬ଟି ସ୍କୁଲ ସମ୍ପୂର୍ଣ୍ଣ ମାଟିରେ ମିଶିଛି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମରାମତି କରିବା ସମ୍ଭବପର ନୁହେଁ। ତେଣୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସ୍କୁଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ସେଠାକାର ପିଲାମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରିବା ଲାଗି କୁହାଯାଇଛି। ଯଦି ଦୁଇଟି ବିଦ୍ୟାଳୟର ପିଲା ବସିବା ଲାଗି ପର୍ଯ୍ୟାପ୍ତ ଶ୍ରେଣୀଗୃହ ନଥିବ ତେବେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀରେ ପିଲାଙ୍କ କ୍ଲାସ କରିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଯେଉଁ ହାଇସ୍କୁଲ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ସେଠାକାର ପିଲାମାନଙ୍କୁ ନିକଟସ୍ଥ ହାଇସ୍କୁଲରେ ଶିକ୍ଷାଦାନ କରାଯିବ। ଦୁଇଟି ସିଫ୍ଟ(ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ୩୦ ଓ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ)ରେ ଦୁଇଟି ବିଦ୍ୟାଳୟର କ୍ଲାସ କରିବାକୁ କୁହାଯାଇଛି। ଏହି ସମୟରେ ଉଭୟ ବିଦ୍ୟାଳୟ ପିଲାମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

କେଉଁ ବିଦ୍ୟାଳୟର ମରାମତି କେଉଁ ବିଭାଗ କରିବ ତାହା ବି ସ୍ଥିର ହୋଇଛି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ସରପଞ୍ଚମାନଙ୍କ ଦ୍ବାରା କରାଯିବ। ସମସ୍ତ ସରପଞ୍ଚ ଏଦିଗରେ ସହଯୋଗ କରିବାକୁ କୁହାଯାଇଛି। ଯଦି କୌଣସି ସରପଞ୍ଚ ସହଯୋଗ ନ କରନ୍ତି ତେବେ ସେମାନଙ୍କ ବିରୋଧରେ କା କାର୍ଯ୍ୟାନୁଷ୍ଠାନ ନିଆଯିବ। ଗ୍ରାମାଞ୍ଚଳରେ ଥିବା ହାଇସ୍କୁଲଗୁଡ଼ିକର ମରାମତି ଗ୍ରାମ ଉନ୍ନୟନ ବିଭାଗ କରିବ। ସେହିପରି ସହରାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ମରାମତି ଗୃହ ଓ ନଗର ଉନ୍ନୟନ ବିଭାଗ, ହାଇସ୍କୁଲଗୁଡ଼ିକର ମରାମତି ପିଡବ୍ଲ୍ୟୁଡି କରିବ ବୋଲି ସ୍ଥିର ହୋଇଛି। ବିଦ୍ୟାଳୟଗୁଡ଼ିକର ମରାମତି ଲାଗି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜୁଲାଇ ସୁଦ୍ଧା ସମସ୍ତ ସ୍କୁଲ ମରାମତି ସାରିବାକୁ ଉନ୍ନୟନ କିମସନର ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।