ସ୍କୁଲରେ ପଡିଲା ତାଲା ! ଗୁହାରି ଶୁଣୁ ନାହାଁନ୍ତି ସରକାର, ରାସ୍ତାରେ ଶିକ୍ଷକଙ୍କ ଗର୍ଜନ

17

କନକ ବ୍ୟୁରୋ : ରାସ୍ତାରେ ଶିକ୍ଷକ ସ୍କୁଲରେ ତାଲା । ଦାବୀ ପୂରଣ ନେଇ ରାଜରାସ୍ତାରେ ଶିକ୍ଷକମାନେ ଧାରଣା ବସିଥିବା ବେଳେ ଆଜିଠୁ ସମସ୍ତ ସ୍କୁଲରେ ପାଠପଢା ବନ୍ଦ କରାଯାଇଛି । ଅନେକ ସ୍କୁଲରେ ତାଲା ପଡିଥିବା ବେଳେ କିଛି ସ୍କୁଲରେ ଶିକ୍ଷକ ନଆସିବାରୁ ଛାତ୍ରଛାତ୍ରୀ ବାହାରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି । ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଶିକ୍ଷକଙ୍କ ଦାବି ସରକାର ତୁରନ୍ତ ପୂରଣ କରିବାକୁ ଅଭିଭାବକ ମାନେ କହିଛନ୍ତି ।

ଅନ୍ୟପଟେ ଦାବି ପୂରଣ ନେଇ ଜିଦର ଅଟଳ ଶିକ୍ଷକ ଓ ଅଧ୍ୟାପକ । ରାଜଧାନୀ ରାଜରାସ୍ତାରେ ୮ ଦିନ ହେଲା ଆନ୍ଦୋଳନ କରୁଛି ଶିକ୍ଷକ ମିଳିତ ମଂଚ । ସରକାର ବ୍ଲକଗ୍ରାଂଟ୍ ଉଚ୍ଛେଦ କରି ପୂଣ୍ଣ ଅନୁଦାନ ନଦେବା ଯାଏଁ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢା ବନ୍ଦ କରାଯାଇଛି । ସରକାରଙ୍କୁ ଗତକାଲି ରାତି ଯାଏଁ ଡେଡଲାଇନ୍ ଦେଇଥିଲେ ଶିକ୍ଷକ । ଲଗାତର ୭ ଦିନର ଧାରଣା ପରେ ଗତକାଲି ପ୍ରାୟ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ପିଏମଜିରେ ଏକାଠି ହୋଇ ବିଶାଳ ସମାବେଶ କରିଥିଲେ । ବିଜେପି ଓ କଂଗ୍ରେସ ବି ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସମାବେଶରେ ସାମିଲ ହୋଇଥିଲେ । ଶିକ୍ଷକଙ୍କ ଦାବି ପ୍ରତି କାହିଁକି ସରକାର ଆଖି ବୁଜି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । । ଆନ୍ଦୋଳନ ଯୋଗୁଁ ପୂର୍ବରୁ ୬୬୨ କଲେଜର ପାଠପଢା ବନ୍ଦ ଥିଲା । ଆଜିଠୁ ୪୮୮ ବର୍ଗ କଲେଜ ଓ ପ୍ରାୟ ୪ ହଜାର ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇଯାଇଛି ।