୪୬ ବର୍ଷରେ ପାଦ ଦେଲେ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ଟିମ ଇଣ୍ଡିଆକୁ ବିଦେଶରେ ଜିତିବା ଶିଖାଇଥିଲେ ଦାଦା, ଲଡର୍ସରେ ଖୋଲିଥିଲେ ଡ୍ରେସ

64

ସୌରଭ ଗାଙ୍ଗୁଲି । ଅଧିକାଂଶ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଜଣାଶୁଣା ନାଁ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୪୬ ବର୍ଷରେ ପାଦ ଦେଇଛନ୍ତି । ସୌରଭ ଏମିତି ଜଣେ ଅଧିନାୟକ ଯିଏ ଟିମ ଇଣ୍ଡିଆକୁ ବିଦେଶରେ ଜିତିବା ଶିଖାଇଛନ୍ତି । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଶା ଦେଇଥିବା ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର ବେଶ ଦମଦାର ରହିଥିଲା । ବେଙ୍ଗଲ ଟାଇଗର ତଥା ଦାଦା ନାମରେ ଜଣାଶୁଣା ଗାଙ୍ଗୁଲି ପଡିଆ ମଝିରେ ଅନେକ ଥର ନିଜର ଦବଙ୍ଗଗିରି ଦେଖାଇଛନ୍ତି । ନିଜ କ୍ୟାରିୟର ମଧ୍ୟରେ ଗାଙ୍ଗୁଲି ଏମିତି ଅନେକ ରେକର୍ଡ ହାସଲ କରିବା ସହ ଭାରତୀୟ କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର କିଛି ସ୍ୱତନ୍ତ୍ର ରେକର୍ଡ ବିଷୟରେ ।

ଗାଙ୍ଗୁଲିଙ୍କ ରେକର୍ଡ଼ :
• ୧୯୯୬ ମସିହାରେ ଲଡର୍ସ ଗ୍ରାଉଣ୍ଡରେ ଅର୍ନ୍ତଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଗାଙ୍ଗୁଲି ସେହି ସମୟରେ ବିଶ୍ୱର ତୃତୀୟ କ୍ରିକେଟର ଭାବେ ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ଶତକ ମାରି ସମସ୍ତଙ୍କୁ ଚକିତ କରିଥିଲେ ।
• ସୌରଭ ଗାଙ୍ଗୁଲି ନିଜ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୨୦ରୁ ଅଧିକ ଟେଷ୍ଟ ମ୍ୟାଚରେ ବିଜୟୀ କରିବାରେ ପ୍ରଥମ କ୍ୟାପଟେନ ହେବାର ରେକର୍ଡ ହାସଲ କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଭାରତ ୨୧ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିଲା । ଗାଙ୍ଗୁଲିଙ୍କ ଏହି ରେକର୍ଡକୁ ମହେନ୍ଦ୍ର ସିଂ ଧୋନି ଭାଙ୍ଗିଥିଲେ । ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୭ଟି ମ୍ୟାଚରେ ବିଜୟୀ ହୋଇଛି । ଏହାଛଡ଼ା ଏବେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ବିରାଟ କୋହଲି ମଧ୍ୟ ସମାନ ସଂଖ୍ୟକ ୨୧ଟି ଟେଷ୍ଟ ଜିତି ଦାଦାଙ୍କ ରେକର୍ଡର ସମକ୍ଷ ହୋଇଛନ୍ତି ।
• ଦିନିକିଆ କ୍ରିକେଟରେ ଦ୍ରୁତତମ ୬୦୦୦ ରନ ପୂରଣ କରିବାରେ ଗାଙ୍ଗୁଲି ୪ର୍ଥ ସ୍ଥାନରେ ରହିଛନ୍ତି । ଗାଙ୍ଗୁଲି ୧୪୭ଟି ଇନିଂସରୁ ୬୦୦୦ ରନ ପୂରଣ କରିଥିଲେ ।
• ଦିନିକିଆ କ୍ରିକେଟରେ ଦ୍ରୁତତମ ୧୦ ହଜାର କ୍ଲବରେ ସାମିଲ ହେବାରେ ଗାଙ୍ଗୁଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦିନିକିଆରେ ୧୦୦୦୦ ରନ ପୂରଣ କରିବାକୁ ଗାଙ୍ଗୁଲି ୨୬୩ଟି ଇନିଂସ ଖେଳିଥିଲେ । ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର । ଗାଙ୍ଗୁଲିଙ୍କ ଠାରୁ ମାତ୍ର ୪ଟି ଇନିଂସ କମ ଖେଲି ସଚିନ ଏହି ରେକର୍ଡ ହାସଲ କରିଛନ୍ତି ।
• ଦିନିକିଆ କ୍ରିକେଟରେ ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକରଙ୍କ ନାଁରେ ସର୍ବାଧିକ ରନର ପାର୍ଟନରସିପର ବିଶ୍ୱ ରେକର୍ଡ଼ ରହିଛି । ଏହି ଦୁଇ ମହାନ ଖେଳାଳିଙ୍କ ମଧ୍ୟରେ ୧୭୬ଟି ଇନିଂସରୁ ୮୨୨୭ ରନ ପାର୍ଟନରସିପ ରହିଛି । ଏହି ରେକର୍ଡ ଭାଙ୍ଗିବା ଅନ୍ୟ ମାନଙ୍କ ପାଇଁ କାଠିକର ପାଠ ।
• ସେହିଭଳି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ନାଁରେ ଦିନିକିଆ କ୍ରିକେଟର ତୃତୀୟ ବଡ ଭାଗୀଦାରୀ ରହିଛି । ଦୁହିଁଙ୍କ ମଧ୍ୟରେ ୩୧୮ ରନର ପାର୍ଟନରସିପ ରହିଥିଲା । ଏହି ତାଲିକାର ଶୀର୍ଷରେ ରହିଛନ୍ତି କାରବିଆନ ଯୋଡ଼ି କ୍ରିସ ଗେଲ ଓ ମାର୍ଲନ ସାମୁଏଲ୍ସ ।
• ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ଲିଷ୍ଟରେ ଅଷ୍ଟମ ସ୍ଥାନରେ ଅଛନ୍ତି ଦାଦା । ଦିନିକିଆ କ୍ୟାରିୟରରେ ଦାଦା ମୋଟ ୧୯୦ ଟି ଛକା ମାରିଛନ୍ତି । ଏହି ଲିଷ୍ଟରେ ଅନ୍ୟ ଦୁଇ ଭାରତୀୟ ମହେନ୍ଦ୍ର ସିଂ ଧୋନି (୨୧୭) ଓ ସଚିନ ତେନ୍ଦୁଲକର (୧୯୫)ଟି ଛକା ସହ ଯଥାକ୍ରମେ ଚତୁର୍ଥ ଓ ସପ୍ତମ ସ୍ଥାନରେ ରହିଛନ୍ତି ।
• ଦିନିକିଆ କ୍ରିକେଟରେ ସର୍ବାଧିକ ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର ହାତେଇବାରେ ସଚିନଙ୍କ ପରେ ଗାଙ୍ଗୁଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୬୧ଟି ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିବା ବେଳେ ୩୧ଟି ମ୍ୟାନ୍ ଅଫ ଦ ମ୍ୟାଚ ପୁରସ୍କାର ହାତେଇଛନ୍ତି ସୌରଭ ଗାଙ୍ଗୁଲି ।

୧୯୯୬ ମସିହାରେ ଇଂଲଣ୍ଡ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିବା ଗାଙ୍ଗୁଲି ପ୍ରଥମ ଟେଷ୍ଟରେ ହିଁ ଶତକ ମାରି ଜବରଦସ୍ତ ଏଣ୍ଟ୍ରି କରିଥିଲେ । ଗାଙ୍ଗୁଲି ୪୯ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି । ବାମହାତୀ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଗାଙ୍ଗୁଲି ନିଜ କ୍ୟାରିୟରରେ ୧୧୩ଟି ଟେଷ୍ଟ ମ୍ୟାଚରୁ ୭୨୧୩ ରନ ଓ ୩୧୧ଟି ଦିନିକିଆ ମ୍ୟାଚରୁ ୧୧୩୬୩ ରନ କରିଥିଲେ । ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ୧୯୮୩ ପରେ ୨୦୦୩ ମସିହାରେ ବିଶ୍ୱକପ ଫାଇନାଲ ଟିକେଟ ହାସଲ କରିଥିଲା । ଏହାଛଡ଼ା ୨୦୦୧ ମସିହାରେ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏଣ୍ଟ୍ରି କରି ଭାରତୀୟ କ୍ରିକେଟକୁ ଏକ ନୂଆ ପରିଚୟ ଦେଇଥିଲେ । ତେବେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷରେ ନାଟେଓଷ୍ଟ ସିରିଜରେ ରୋମାଞ୍ଚକର ବିଜୟ ପରେ ଲଡର୍ସ ବାଲକୋନିରୁ ଛିଡା ହୋଇ ଡ୍ରେସ ଖୋଲି ହଲାଇଥିଲେ । ଯାହା ପାଇଁ ଆଜି ମଧ୍ୟ ଗାଙ୍ଗୁଲିଙ୍କର ଚର୍ଚ୍ଚା ହୋଇଥାଏ ।