ଫିଫା ବିଶ୍ୱକପ : ବିଜୟ ପରେ ଗୋଟିଏ ଦିନ ଛୁଟି ଘୋଷଣା କଲେ ସାଉଦ ଆରବ ସରକାର

533

କନକ ବ୍ୟୁରୋ : ଚଳିତ ଫିଫା ବିଶ୍ୱକପରେ ସବୁଠୁ ଶକ୍ତିଶାଳୀ ଟିମ୍ କୁହାଯାଉଥିବା ଆର୍ଜେଟିନାକୁ ହରାଇ ରେକର୍ଡ କରିଛି ସାଉଦି ଆରବ । ବିଶ୍ୱର ୩ ନମ୍ବର ଦଳ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ହରାଇଛି ୪୮ ନମ୍ବରରେ ଥିବା ସାଉଦି ଆରବ । ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ବିଜୟୀ ହୋଇଛି ଏହି ଏସୀୟ ଦଳ । ୨ ଥର ବିଶ୍ୱକପ୍ ବିଜେତା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ଆଶ୍ଚର୍ଯ୍ୟଜନକ ଭାବେ ହରାଇଛି ସାଉଦି ଆରବ ।

ମଇଦାନର ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିବା ଏହି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ମେସି ପେନାଲଟିରୁ ପ୍ରଥମେ ଏକ ଗୋଲ ଦେଇଥିଲେ । ହେଲେ ସାଉଦି ଆରବ ଦ୍ୱୀତିୟାର୍ଦ୍ଧରେ ଦୁଇଟି ଗୋଲ ଦେଇ ମ୍ୟାଚକୁ ଜିତିନେଇଥିଲା । ତୋବ ବିଜୟ ପରେ ଗୋଟିଏ ଦିନ ଛୁଟି ଘୋଷଣା କିରିଛନ୍ତି ସାଉଦ ଆରବ ସରକାର । ଆଜି ସାରା ଦେଶରେ ହୋଇଛି ଛୁଟି ଘୋଷଣା ।

ଲୁସାଇଲ୍‌ର ନୂଆ ଷ୍ଟାଡିୟମ୍‌ରେ ମଙ୍ଗଳବାର ମଧ୍ୟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ଷ୍ଟାଡିୟମ୍‌ର ପଦାର୍ପଣ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ କିନ୍ତୁ ନିଜ ଶେଷ ବିଶ୍ବକପ୍‌ ‌ଖେଳୁଥିବା ଲିଓନେଲ୍‌ ମେସିଙ୍କ ପାଇଁ ଦୁଃସ୍ବପ୍ନ ଭଳି ରହିଗଲା। ୨୦୧୯ରୁ କ୍ରମାଗତ ୩୬ ମ୍ୟାଚ୍‌ରେ ଅପରାଜେୟ ରହିଥିବା ଆର୍ଜେଣ୍ଟିନା ଯେ ସାଉଦି ଆରବଠାରୁ ହାରିବ ଅନେକଙ୍କ ବିଶ୍ବାସ ବାହାରେ ଥିଲା। ଇଟାଲି ନାମରେ ଥିବା ଦୀର୍ଘତମ ଅପରାଜେୟ କୀର୍ତ୍ତିମାନର ସମକକ୍ଷ ହେବାରୁ ମଧ୍ୟ ମେସିଙ୍କ ଦଳ ବଞ୍ଚିତ ରହିଲା ।

ମଙ୍ଗଳବାର କିଂବଦନ୍ତି ଖେଳାଳି ତଥା ୭ ଥର ବାଲନ୍ ଡି’ଓର୍ ପୁରସ୍କାର ବିଜେତା ମେସି ପେନାଲ୍ଟିରୁ ପ୍ରଥମ ଗୋଲ୍ ସ୍କୋର୍‌ କରି ପ୍ରଥମାର୍ଦ୍ଧ ସୁଦ୍ଧା ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ ରଖିଥିଲେ । ଦ୍ବିତୀୟାର୍ଦ୍ଧରେ କିନ୍ତୁ ସାଉଦି ଖେଳାଳି ସଙ୍କଳ୍ପବଦ୍ଧତାର ସହ ଆସିଥିବା ପ୍ରମାଣିତ କରିଦେଇଥିଲେ। ୪୮ତମ ମିନିଟରେ ଅଲ୍‌ ସେହରିଙ୍କ ଲୋ ସଟ୍‌ ମ୍ୟାଚ୍‌କୁ ବରାବର ସ୍ତରକୁ‌ ନେଇ ଆସିଥିଲା । ୫୩ତମ ମିନିଟ୍‌ରେ ଅଲ୍ ଦାଓସାରି ପେନାଲ୍ଟି ଏରିଆରୁ‌ ମାରିଥିବା ସଟ୍‌ ଆର୍ଜେଣ୍ଟିନା‌ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା ।

ଏଥିସହିତ ୨-୧ରେ ଆଗୁଆ ହୋଇଯାଇଥିଲା ସାଉଦି ଆରବ । ପ୍ରତିଯୋଗିତାକୁ ଦାବିଦାର ଭାବେ ଆସିଥିବା ଆର୍ଜେଣ୍ଟିନା ହାତରେ ସେବେଠାରୁ ଥିବା ଅବଶିଷ୍ଟ ୪୦ ମିନିଟ୍‌ରେ ଏହାର ଖେଳାଳିମାନେ କିଛି କରିସ୍ମା ଦେଖାଇପାରିନଥିଲେ । ସାଉଦିର ଗୋଲ୍‌ରକ୍ଷକ ମହମ୍ମଦ ଆଲାୱାଇସ୍‌ ଏକାଧିକ ଗୋଲ୍ ବଞ୍ଚାଇବା ସହ ସାହସିକତା ପ୍ରଦର୍ଶନ କରିଥିଲେ । ଆର୍ଜେଣ୍ଟିନା ସହିତ ମଧ୍ୟ ଏହାର ଭାଗ୍ୟ ରହିନଥିଲା ।
୩ଟି ଗୋଲ୍‌କୁ ଅଫସାଇଡ଼ ପାଇଁ ନାକଚ କରିଦିଆଯାଇଥିଲା । ଏଥି ସହିତ ଫିଫା ମାନ୍ୟତାରେ ୩ ନମ୍ବର ଦଳକୁ ୪୮ ନମ୍ବର ସାଉଦି ହରାଇ ଦେଇଥିଲା । ଆର୍ଜେଣ୍ଟିନା ୫୧ ପ୍ରତିଶତ ବଲ୍ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ଆବଶ୍ୟକ‌ତା ବେଳେ ଗୋଲ୍ ଦେଇନପାରି ପରାଜୟ ପାର୍ଶ୍ବରେ ରହିଲା । ମାତ୍ର ୨୪ ପ୍ରତିଶତ ସମ୍ପୂର୍ଣ୍ଣ ବଲ୍ ନିୟନ୍ତ୍ରଣରେ ରଖି ସାଉଦି ଆରବ ବିଜେତା ହୋଇଥିଲା ।